ଭଞ୍ଜନଗର: ଗୃହରକ୍ଷୀ ପଦବୀ ପାଇଁ ଶାରୀରିକ ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ସମାପିତ; ଜଣେ ପରୀକ୍ଷାର୍ଥୀ ସାମାନ୍ୟ ଆହତ

ଭଞ୍ଜନଗର ୦୭/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଚାଲିଛି। ଆଜି ସକାଳ ୫ଟାରୁ ପରୀକ୍ଷା ଚାଲିଛି। ଏହା ପୁର୍ବରୁ ଆବେଦନକାରୀମାନଙ୍କ ସୁଗାର, ବିପି, ହାର୍ଟ ଯାଞ୍ଚ ହେଉଛି। ଗଞ୍ଜାମ ପୋଲିସ ଜିଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ରେ ଆଜି ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଚାଲିଛି । ଏମବିଏ, ବିଟେକ ଆବେଦନକାରୀ ପରୀକ୍ଷା ଦେଉଛନ୍ତି।
ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା କଡ଼ାସୁରକ୍ଷା ମଧ୍ୟରେ ଚାଲିଛି। ଗଞ୍ଜାମ ପୋଲିସ ଜିଲାରେ ୧୩୫ଟି ପଦବୀ ପାଇଁ ୭୫୦୦ରୁ ଉର୍ଦ୍ଧ୍ୱ ଆବେଦନ କରିଥିଲେ। ସେଥିମଧ୍ୟରୁ ଅଧିକାଂଶ ପ୍ରାର୍ଥି କଟି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଜି ପରୀକ୍ଷା ସରିବା ପରେ ଆଗାମୀ ଦିନରେ ଭାଇବା ପରୀକ୍ଷା ହେବ। ଏହାପରେ ଚୁଡାନ୍ତ ପରୀକ୍ଷା ଫଳ ପ୍ରକାଶିତ ହେବ।

ଚଳିତ ମାସ ଶେଷ ସୁଦ୍ଧା ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଧ୍ୟ ଆଜି କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଚାଲିଛି। ଏଠି ୧୦୪ ଜଣ ଆବେଦନକାରୀ ଭାଗ ନେବା ବଦଳରେ ଆଜି ୧୦୦ ଜଣ ଉପସ୍ଥିତ ଥିଲେ ବୋଲି ଜଣାପଡିଛି। ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ. ଦୀପକ କୁମାର ମିଶ୍ର, ଥାନାଧିକାରୀ ଜୀବନାନନ୍ଦ ଜେନା, ତାରସିଂ ଥାନାଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ, ଭଞ୍ଜନଗର ଥାନା ଏସଆଈ ସମୀର କୁମାର ସେଠି ଲକ୍ଷ୍ମୀଧର ମାହାନ୍ତି, ଲିପିନା ବିଶ୍ୱାଳ, ଏଏସଆଈ ବିଦେଶୀ ବେହେରା, ସତ୍ୟନାରାୟଣ ମଲ୍ଲିକ, ଶରତଚନ୍ଦ୍ର ପଣ୍ଡା, ରୁଦ୍ରପ୍ରତାପ କହଁରଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ପରୀକ୍ଷା ଚାଲିଛି।ଆଜି ପରୀକ୍ଷା ଚାଲୁ ଥିବା ବେଳେ ଜଣେ ପରୀକ୍ଷାର୍ଥୀ ସାମାନ୍ୟ ଆହତ ହେଇଥିବା ସୂଚନା ମିଳିଛି।

୧୩୫ଟି ପଦବୀ ମଧ୍ୟରୁ ୧୦୧ ପୁରୁଷ ଏବଂ ୩୪ ଜଣ ମହିଳା ଗୃହରକ୍ଷୀ ଚୟନ ହେବେ। ସେଥିମଧ୍ୟରୁ ସାମୁଦ୍ରିକ ଥାନା ପାଇଁ ୧୫ ଜଣ, ସାଧାରଣ ଡ୍ୟୁଟି ୫୫ ଜଣ, କମ୍ପ୍ୟୁଟର ୪୦, ଡ୍ରାଇଭର ୧୦, ରୋଷେୟା ୬, ବୈଦ୍ୟୁତିକ ମିସ୍ତ୍ରୀ ୨, ମେସ ସହାୟକ ୨ ଓ ଧୋବୀ, ବାରିକ, ଦରଜୀ, ପାଣି ପାଇପ ମିସ୍ତ୍ରୀ, ମୋଚି ପଦବୀ ପାଇଁ ଜଣେ ଲେଖାଁଏ ନିଯୁକ୍ତି ହେବେ। ଆସ୍କା, ପୁରୁଷୋତ୍ତମପୁର, ଭଞ୍ଜନଗର , ଛତ୍ରପୁର କେନ୍ଦ୍ରରେ ଆଜି ସାଧରଣ ଡ୍ୟୁଟି ପାଇଁ ପରୀକ୍ଷା ଚାଲିଛି। ଆଜି ସାଧାରଣ ଡ୍ୟୁଟି ସରିବା ପରେ ଆଗାମୀ ଦିନରେ ଆଗାମୀ ଦିନରେ ଅନ୍ୟାନ୍ୟ ଟ୍ରେଡ ଯଥା କମ୍ପ୍ୟୁଟର, ଡ୍ରାଇଭର, ରୋଷେୟା ସମେତ ଅନ୍ୟାନ୍ୟ ପରୀକ୍ଷା ହେବ।