ପରିବେଶ ହତ୍ୟାର ଖୋଲା ଚେଲେଞ୍ଜ ସିନାପାଲିରେ ବେଆଇନ ଇଟାଭାଟିକୁ ନେଇ ବଡ଼ ପ୍ରଶ୍ନ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲାର ସିନାପାଲି ତହସିଲ ଅନ୍ତର୍ଗତ ଅନେକ ଗାଁରେ ବେଆଇନ ଭାବେ ଇଟାଭାଟି ଚାଲିଥିବା ଅଭିଯୋଗ ଦୀର୍ଘଦିନ ଧରି ଅଭିଯୋଗ ହେଉଛି। କିନ୍ତୁ ଏହି ଗୁରୁତର ଅବୈଧ କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରଶାସନର ଦୃଢ଼ ପଦକ୍ଷେପ ଦେଖୁବାକୁ ମିଳୁନାହିଁ। ଆଇନକୁ ଅଣଦେଖା କରି, ପରିବେଶକୁ ଧ୍ୱଂସ କରି, ସରକାରୀ ନିୟମକୁ ଧୁଳିରେ ମିଶାଇ ଦେଇ ଏହି ବେଆଇନ ଇଟାଭାଟି ଗାଁ-ଗାଁରେ ଖୁଲମ ଖୁଲ୍ଲା ଗଡି ଚାଲିଛି ।ଇଟାଭାଟି ପାଇଁ ଆବଶ୍ୟକ ଥିବା ପରିବେଶ ଅନୁମତି, ଭୂମି ବ୍ୟବହାର ଅନୁମୋଦନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମସବୁକୁ ଅନାୟାସରେ ଉଲଂଘନ କରାଯାଉଛି । କୃଷି ଜମିରୁ ମାଟି କାଟି ନେଇ ଇଟା ତିଆରି କରାଯାଉଛି, ଯାହା ଆଗାମୀ ଦିନରେ ଚାଷକୁ ଅସମ୍ଭବ କରିଦେବ । ଏହା କେବଳ ଚାଷୀଙ୍କ ଜୀବିକାକୁ ନୁହେଁ, ସମ୍ପୂର୍ଣ ଗ୍ରାମୀଣ ଅର୍ଥନୀତିକୁ ଧ୍ବଂସର ଦିଗକୁ ନେଉଛି।ଇଟାଭାଟିରୁ ଉଠୁଥିବା ଘନ ଧୂଆଁ, କଳା ଧୂଳି ଓ ଭସ୍ମ ଆକାଶକୁ ଦୂଷିତ କରୁଛି । ଗ୍ରାମବାସୀ ଶ୍ଵାସକଷ୍ଟ, ଆଖୁଜଳା, ଚର୍ମ ରୋଗ ଭଳି ସମସ୍ୟାରେ ପଡ଼ୁଛନ୍ତି। ସ୍କୁଲକୁ ଯାଉଥିବା ଶିଶୁମାନେ ପ୍ରଦୂଷଣ ମଧ୍ୟରେ ପଢ଼ିବାକୁ ବାଧ୍ୟ। ଗର୍ଭବତୀ ମହିଳା ଓ ବୃଦ୍ଧମାନଙ୍କ ପାଇଁ ଏହି ପରିସ୍ଥିତି ଆଉ ଅଧୂକ ଭୟାବହ ହେଉଛି । ଏଠାରେ ପ୍ରଶ୍ନ ଉଠୁଛି ଏତେ ସବୁ ଅବୈଧ କାର୍ଯ୍ୟ ପ୍ରଶାସନ ର ନଜରରେ କେମିତି ପଡ଼ୁନାହିଁ ? କି ଏହା ପ୍ରଶାସନିକ ଅକ୍ଷମତା, ନା ନୀରବ ସମ୍ମତି ? ରାଜସ୍ୱ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ତହସିଲ ଓ ବ୍ଲକ୍ ପ୍ରଶାସନ ସମସ୍ତଙ୍କ ଭୂମିକାକୁ ନେଇ ଗଭୀର ପ୍ରଶ୍ନଚିହ୍ନ ଲାଗୁଛି।ବେଆଇନ ଇଟାଭାଟିରେ ଶ୍ରମିକମାନେ ମଧ୍ଯ ଅସୁରକ୍ଷିତ। କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ, ଶିଶୁ ଶ୍ରମ ଅଭିଯୋଗ ମଧ୍ଯ ଶୁଣିବାକୁ ମିଳୁଛି । ଦିନମଜୁରୀରେ କାମ କରୁଥିବା ଶ୍ରମିକମାନେ ଦୁର୍ଘଟଣା ଘଟିଲେ କୌଣସି ସହାୟତା ପାଉନାହାନ୍ତି । ଏହା ହେଉଛି ମାନବାଧୂକାର ଉଲଂଘନ। ଅତ୍ୟନ୍ତ ଚିନ୍ତାଜନକ ବିଷୟ ହେଉଛି ଏହି ବେଆଇନ ଇଟାଭାଟି ଚଲାଇବା ପାଇଁ ଜଙ୍ଗଲ ଓ ଗ୍ରାମ ଅଞ୍ଚଳର ହଜାର ହଜାର ଗଛ କାଟାଯାଉଛି। ବନ ବିଭାଗର ବିନା ଅନୁମତି ରେ ମୂଲ୍ୟବାନ ଜାଳେଣି କାଠ ଇଟାଭାଟିରେ ପୋଡ଼ାଯାଉଛି, ଯାହା ସିଧାସଳଖ ଭାବେ ଜଙ୍ଗଲ ଆଇନ ଓ ପରିବେଶ ସୁରକ୍ଷା ଆଇନର ଘୋର ଉଲଂଘନ ବୋଲି ମତ ପ୍ରକାଶ ପାଉଛି । ଏହା ସହିତ ନ‌ଦୀ ଓ ନାଳରୁ ବେଆଇନ ଭାବେ ବାଲି ଉଠାଇ ଇଟାଭାଟି ଓ ନିର୍ମାଣ କାମରେ ବ୍ୟବହାର କରାଯାଉଛି, ଯାହା ଜଳସ୍ରୋତକୁ ଧ୍ବଂସ କରିବା ସହିତ ଭୂ ଗର୍ଭଜଳସ୍ତରକୁ ଭୟାବହ ଭାବେ ହ୍ରାସ କରୁଛି।