ନଙ୍ଗଲବୋଡ଼ଠାରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ସିନାପାଲି ବନାଞ୍ଚଳ ଅଧୀନସ୍ଥ ନଙ୍ଗଲବୋଡ଼ଠାରେ ଜଙ୍ଗଲ ନିଆଁରୁ ସୁରକ୍ଷା ଓ ପରିବେଶ ରକ୍ଷା ନେଇ ଏକ ବୃହତ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯାଇପାରିବ ଏବଂ ଜଙ୍ଗଲ ସୁରକ୍ଷିତ ରହିଲେ ଆମକୁ କି ପ୍ରକାର ଲାଭ ମିଳିବ, ସେ ନେଇ ଜନସାଧାରଣଙ୍କୁ ଏହି ଶିବିରରେ ଅବଗତ କରାଯାଇଥିଲା।
ସିନାପାଲି ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ୱର ତାଣ୍ଡିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବନଖଣ୍ଡ ଅଧିକାରୀ ଶ୍ରୀ ମହମ୍ମଦ ଅଜିତ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ଜଙ୍ଗଲର ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ମିନା ଘିଭେଲା, ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ମୀ ଓରାମ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ସରପଞ୍ଚ ଜଗଦୀଶ ମାଝୀ, ଅଗ୍ନିଶମ ଅଧିକାରୀ ନରେନ୍ଦ୍ର ପ୍ରଧାନ ଏବଂ ପ୍ରକୃତି ବନ୍ଧୁ ନରେନ୍ଦ୍ର ଯୋଶୀ ମଞ୍ଚାସୀନ ଥିଲେ।ମଞ୍ଚାସୀନ ଅତିଥିମାନେ ଗପ ଓ କାହାଣୀ ମାଧ୍ୟମରେ ବନ୍ୟଜନ୍ତୁ ଓ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତଙ୍କୁ ବୁଝାଇଥିଲେ। ବିଶେଷ କରି ବନଖଣ୍ଡ ଅଧିକାରୀ ଶ୍ରୀ ଖାଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ପ୍ରତି ଥିବା ତାଙ୍କର ମମତା ଓ କର୍ମଶୈଳୀ ବିଷୟରେ କହିବା ସମୟରେ ଭାବୁକ ହୋଇପଡ଼ିଥିଲେ। ତାଙ୍କର ଏହି ନିଷ୍ଠାପର ବକ୍ତବ୍ୟ ସହପାଠୀ କର୍ମଚାରୀ ଓ ଭିଏସଏସ କମିଟି ସଭ୍ୟମାନଙ୍କ ମଧ୍ୟରେ କାମ କରିବା ପାଇଁ ଏକ ନୂତନ ଉତ୍ସାହ ଭରିଥିଲା। “ଉଚ୍ଚ ପଦାଧିକାରୀ ହେଲେ ଏମିତି ହେବା କଥା” ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା।ନିଜ କାର୍ଯ୍ୟରେ ଦକ୍ଷତା ଓ ସାହସିକତା ପ୍ରଦର୍ଶନ କରିଥିବା ଭିଏସଏସ କମିଟି ସଭାପତି ଶ୍ରୀ ଟେକମନ ନାଗ ଏବଂ ପାରା ଷ୍ଟାଫ ଶ୍ରୀ ହେମନ୍ତ କୁମାର ବୈଠାରୁଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଶେଷରେ ଫରେଷ୍ଟର ଶ୍ରୀ କନ୍ଦର୍ପ ସୁନାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭା ସାଙ୍ଗ ହୋଇଥିବା ଘୋଷଣା କରିଥିଲେ।