ଜୀବନ ଯୁଦ୍ଧରେ ହାରି ୩ ଜଣଙ୍କୁ ବଞ୍ଚାଇଲେ, ଭଞ୍ଜନଗର ପୁଅ ଆଶିଷଙ୍କୁ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍ ଅନର

ଭଞ୍ଜନଗର ୧୨/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ ବଞ୍ଚାଇବାକୁ ବହୁ ସଙ୍ଘର୍ଷ କରିଥିଲେ । ଦୀର୍ଘ ୩ ଦିନ କାଳ ଆଇସିୟୁରେ ରହି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ଡିଏମ୍ ଏଲ୍‌ଟି (ଡିପ୍ଲୋମା ଇନ୍ ମେଡିକାଲ୍ ଆଣ୍ଡ୍ ଲାବୋରେଟୋରୀ ଟେକ୍ନିସିଆନ୍ ) ଛାତ୍ର ଆଶିଷ ସାହୁ। ତେବେ ଏକମାତ୍ର ସନ୍ତାନକୁ ହରାଇ ବାପା, ମା’ ଆଶିଷଙ୍କ କିଡ୍‌ନୀ ଓ ଲିଭର ଦାନ କରାଇ ୩ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି। ଆଶିଷଙ୍କ ଗୋଟିଏ କିଡନୀ ଏସ୍‌ସି ବି ମେଡିକାଲ୍‌ରେ ସାଲେପୁର ଅଞ୍ଚଳର କିଡ୍‌ନୀ ନଷ୍ଟ ହୋଇଥିବା ରୋଗୀ ସାମସୁଦ୍ଦିନ୍ ଶରୀରରେ କାଡାଭରି ଟ୍ରାନ୍ସ ପ୍ଲାଣ୍ଟ କରାଯାଇଥିବା ବେଳେ ଅନ୍ୟଟି ଭୁବନେଶ୍ଵର ଏମସ୍‌ ରେ କରାଯାଇଛି। ସେହିପରି ଭୁବନେଶ୍ଵରରେ ଜଣେ ରୋଗୀଙ୍କର ଶରୀରରେ ଲିଭର୍ ପ୍ରତିରୋପଣ କରାଯାଇଛି। ସୋଟୋ( ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତିରୋପଣ ସଂଗଠନ)ର ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ଅଞ୍ଚଳର ଆଶିଷ ସାହୁ(୨୩)। ବାପା, ମାଙ୍କ ସହ ଭୁବନେଶ୍ୱରରେ ରହି ଏକ ଘରୋଇ କଲେଜରେ ଡିଏମ୍ ଏଲ୍‌ଟି ପଢ଼ୁଥିଲେ । ବାପା ତ୍ରିପତି ସାହୁ ଏକ ବ୍ୟବସାୟିକ ସଂସ୍ଥାରେ ଶ୍ରମିକ। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପରୀକ୍ଷା ପରେ ଆଶିଷ ବିବାହ ମଣ୍ଡପରେ କ୍ୟାଟରିଂ ବୟ କାମ କରୁଥିଲେ। ଚଳିତ ମାସ ୪ ତାରିଖରେ କ୍ୟାଟରିଂ କାମ ସାରି ସାଙ୍ଗ ତଥା ଯାଜପୁର ମଙ୍ଗଳପୁର ଅଞ୍ଚଳର ଚନ୍ଦ୍ରଶେଖର ମହାରଣାଙ୍କ ସହ ବାଇକ୍‌ରେ ଭଡ଼ା ଘରକୁ ଫେରିବା ବେଳେ ପୁରୀ ବାଇପାସ୍ ରାସ୍ତା ରେବତୀ ନଗର ନିକଟରେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଚନ୍ଦ୍ରଶେଖରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଶିଷ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଆଶିଷଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା।

ଏସ୍‌ସିବି ଟ୍ରମା କେୟାର୍ ସେଣ୍ଟରରେ ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ଗତ ୭ ତାରିଖ ରାତିରେ ଆଶିଷଙ୍କୁ ଡାକ୍ତରୀ ଟିମ୍ ବ୍ରେନ୍ ଡ୍ରେଡ୍ ଘୋଷଣା କରିଥିଲେ। ନିକଟସ୍ଥ ରେଡକ୍ରସ୍ ରକ୍ତ ଭଣ୍ଡାରରେ ନର୍ସିଂ ଅଫିସର ଆଶିଷଙ୍କ ମାଉସୀ ଝିଅ ଭଉଣୀ ସଚିତା ନାୟକ ଆଶିଷଙ୍କ ସ୍ମୃତିରକ୍ଷା ଲାଗି ତାଙ୍କ ବାପାମାଆଙ୍କୁ ଅଙ୍ଗଦାନ ପାଇଁ ବୁଝାଇଥିଲେ। ଅଭିଭାବକଙ୍କ ସମ୍ମତି ପରେ ସୋଟୋ ଟିମ୍ ଏସ୍‌ସିବି ଓ ଏମ୍‌ସ ସମେତ ଘରୋଇ ହସ୍ପିଟାଲ ସହ ସମନ୍ବୟ ରକ୍ଷା କରି ଅଙ୍ଗ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଟ୍ରମା କାଜୁଆଲଟିର ମେଡିକାଲ୍ ଅଫିସର ଡାକ୍ତର ଜେପି ବିଶ୍ଵାଳ, ଏସ୍‌ ସିବି ୟୁରୋଲୋଜି ବିଭାଗ ମୁଖ୍ୟ ସମୀର ସ୍ପାଇଁଙ୍କ ସମେତ ଏକ ଡାକ୍ତରୀ ଟିମ୍ ଆଶିଷଙ୍କଠାରୁ କିଡ୍‌ନୀ ଓ ଲିଭର ସଂଗ୍ରହ କରିଥିଲେ। ଆଶିଷଙ୍କ ସମ୍ମାନର୍ଥେ ଏସ୍‌ସିବି ମେଡିକାଲ ପ୍ରଶାସନ ପକ୍ଷରୁ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ସେହି ପରି ପୁରୀ ସ୍ୱର୍ଗ ଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।