
ଭଞ୍ଜନଗର ୧୨/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସଚେତନ, ରୋଗ ନିରାକରଣ, ପ୍ରତିରୋଧ ସତର୍କତା, ଋତୁକାଳୀନ ରୋଗ ସଚେତନତା, ଟୀକା କରଣ, ଯୋଗ, ବ୍ୟାୟାମ, ପ୍ରାଣାୟାମ ସହ ହସ, ଖୁସି, ଖେଳକୁଦର ଆବଶ୍ୟକତା ଉପରେ ଏକ ସ୍ୱାସ୍ଥ୍ୟ ଶିବିର ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ଯୋଗ ଦେଇଥିବାବେଳେ ଅତିଥିଭାବେ ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ l ସ୍ଥାନୀୟ ସରକାରୀ ଡାକ୍ତରଖାନାର ଡ଼. ମନୋଜ କୁମାର ପାତ୍ର, ଜାନକୀ ସାହୁ, ଶିବ ମହାରଣା, ସୁଦାମ ମହାରଣା, ମିଲନ ପାଣ୍ଡେ, ସଚିନ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ରୋଗ ଓ ତାର ଆଗୁଆ ପ୍ରତିକାର ସହ ସଚେତନତା ଉପରେ ବୁଝାଇଥିଲେ l ଅଂଚଳର ସମସ୍ତ ଆଶା କର୍ମୀ ଯୋଗଦେଇ ଶିବିରକୁ ସମ୍ପୂର୍ଣ୍ଣ ସହଯୋଗ ସହ ପରିଚାଳନା କରିଥିଲେ l ପ୍ରଧାନଶିକ୍ଷକ ଶ୍ରୀ ସ୍ୱାଇଁ ସ୍ୱାସ୍ଥ୍ୟ ଶିବିରର ଆବଶ୍ୟକତା ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଡ. ପାତ୍ର ହାତଧୁଆ, ରକ୍ତହୀନତା, ବସନ୍ତର ସତର୍କତା, ତମାଖୁ ସେବନର କ୍ଷତିକାରକ ସହ ଦିନଚର୍ଯ୍ୟl ଉପରେ ଛାତ୍ରଛାତ୍ରୀଙ୍କୁ କହିଥିଲେ l ଶିବିରରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିବାବେଳେ ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l