ଚୌଦ୍ଵାର କଲେଜରେ ପରୀକ୍ଷା ମାହୋଲସୁରକ୍ଷା ବଳୟରେ ସିଲ୍ ହେଲା ପ୍ରଶ୍ନପତ୍ରସକାଳ ୭:୩୦ ରେ ପୋଲିସ ସୁରକ୍ଷାରେ ଯିବ ପ୍ରଶ୍ନପତ୍ର

ଚୌଦ୍ଵାର (ଶିବବ୍ରତ ଦାସ) : ଯୁକ୍ତ ୨ ବାର୍ଷିକ ପରୀକ୍ଷାକୁ ନଜରରେ ରଖି ଆଜି ଅପରାହ୍ନରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ପଠାଯାଇଥିବା ପ୍ରଶ୍ନପତ୍ର ଚୌଦ୍ୱାର କଲେଜର ହବ୍ କେନ୍ଦ୍ରରେ ସୁରକ୍ଷିତ ଭାବେ ପହଞ୍ଚିଛି। ପ୍ରଶ୍ନପତ୍ର ଗୁଡ଼ିକୁ କଡ଼ା ପୁଲିସ୍ ପହରା ଓ ନିର୍ଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଥିବାରୁ ସମଗ୍ର ଅଞ୍ଚଳରେ ପରୀକ୍ଷା ପ୍ରସ୍ତୁତି ନେଇ ଗମ୍ଭୀର ପରିବେଶ ଦେଖିବାକୁ ମିଳିଛି। ଏହି ହବ୍ କେନ୍ଦ୍ର ଅଧୀନରେ ମୋଟ ୧୧ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ପ୍ରାୟ ୨,୨୩୨ ଜଣ ପରୀକ୍ଷାର୍ଥୀ ଏବେ ବାର୍ଷିକ ପରୀକ୍ଷାରେ ଅଂଶଗ୍ରହଣ କରିବେ। ଚୌଦ୍ୱାର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସହ ବାଳୀ, ଗୁରୁଡ଼ିଝାଟିଆ, ଖୁଣ୍ଟୁଣି, ଶଙ୍କରପୁର, ବିଶ୍ୱନାହାକାଣୀ, ଭଗତପୁର, ଚୌଦ୍ୱାର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଶକ୍ତି ଜୁନିଅର କଲେଜ, ଡ୍ରିମ୍ସ ଜୁନିଅର କଲେଜ ଓ ଓଡ଼ିଶା ବିଜ୍ଞାନ ଜୁନିଅର କଲେଜର ପ୍ରଶ୍ନପତ୍ର ଏହି କେନ୍ଦ୍ରରେ ସଂରକ୍ଷିତ ହୋଇଛି। ଚୌଦ୍ୱାର କଲେଜର ଅଧ୍ୟକ୍ଷା ରଶ୍ମୀ ରାଉତରାୟ କହିଛନ୍ତି ଯେ, ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ ପ୍ରତିଦିନ ସକାଳ ୭ଟା ୩୦ ମିନିଟ୍‌ରେ ପୋଲିସ୍ ସୁରକ୍ଷାରେ ପ୍ରଶ୍ନପତ୍ର ଗୁଡ଼ିକୁ ସମ୍ପର୍କିତ ପରୀକ୍ଷା କେନ୍ଦ୍ରମାନଙ୍କୁ ପଠାଯିବ। ସେଥିପାଇଁ ପ୍ରଶାସନ ଓ କଲେଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ହବ୍ ଇନ୍ଚାର୍ଜ ଅଧ୍ୟାପକ ସୁମନ୍ତ କୁମାର ସାହୁ ସୂଚନା ଦେଇ କହିଛନ୍ତି ଯେ, ଚୌଦ୍ୱାର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସବୁଠାରୁ ଅଧିକ ୧,୧୨୨ ଜଣ ପରୀକ୍ଷାର୍ଥୀ କଳା, ବିଜ୍ଞାନ ଓ ବାଣିଜ୍ୟ ଶାଖାରେ ପରୀକ୍ଷା ଦେବେ। ପରୀକ୍ଷା ଶେଷରେ ପ୍ରତ୍ୟେକ କେନ୍ଦ୍ରରୁ ଆସୁଥିବା ଉତ୍ତର ଖାତାଗୁଡ଼ିକୁ ମଧ୍ୟ ପୋଲିସ୍ ସୁରକ୍ଷାରେ ପୋଷ୍ଟ ଅଫିସ୍ ମାଧ୍ୟମରେ ପଠାଯିବାକୁ ବ୍ୟବସ୍ଥା ରହିଛି। ଉଲ୍ଲେଖନୀୟ ଯେ, ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆସନ୍ତା ୧୮ ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖରେ ସମାପ୍ତ ହେବ। ସୁଚାରୁ, ନିର୍ବିଘ୍ନ ଓ ପାରଦର୍ଶୀ ପରୀକ୍ଷା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ସଫଳ ଆୟୋଜନ ପାଇଁ ସମସ୍ତ ସମ୍ପୃକ୍ତ କର୍ମଚାରୀ, ପୁଲିସ୍ ଓ ଶିକ୍ଷା ପ୍ରଶାସନ ସଜାଗ ରହିଛନ୍ତି।