
ଭଞ୍ଜନଗର ୧୫/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଶୈବ ପରମ୍ପରା ଓ ଗ୍ରାମୀଣ ଆଧ୍ୟାତ୍ମିକ ସଂସ୍କୃତିରେ ଭଞ୍ଜନଗର ବ୍ଲକ୍ ଏକ ପବିତ୍ର ପରିଚୟ ରୂପେ ପରିଚିତ। ସହର ଉପକଣ୍ଠ ବେଲେଶ୍ୱର ମହାଦେବଙ୍କ ପୀଠ ଆଜି ଅଞ୍ଚଳବାସୀଙ୍କ ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ମୁଖ୍ୟ କେନ୍ଦ୍ରଭାବେ ଉଭା ହୋଇଛି। ଆଧ୍ୟାତ୍ମିକ ଓ ପ୍ରାକୃତିକ ପର୍ଯ୍ୟଟନର ସମାହାର ଦେଖିବାକୁ ମିଳେ ଏଠି । ଏବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦାବି ରଖୁଥିବା ଏହି ସ୍ଥାନରେ ରହିଛି ୬୧ ଫୁଟ୍ର ବୃହତ୍ ଶିବ ମୂର୍ତ୍ତି । ପରିତ୍ୟକ୍ତ ୧୦ ଏକର ପାହାଡ଼ କାଟି ଓ ବେଲ ବଣ ସଫା କରି ଏଠାରେ ତିଆରି ହୋଇଛି ସୁଦୃଶ୍ୟ ମନ୍ଦିର। ସେଥିପାଇଁ ତ ବେଲେଶ୍ବର ପୀଠ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ଭଞ୍ଜନଗରରୁ ଫୁଲବାଣୀ ଯିବା ରାସ୍ତାରେ ସହର ଠାରୁ ୩ କିମି ଦୂର କେଏସୟୁବି କଲେଜ ଛକ ନିକଟରେ ଭକ୍ତଜନଙ୍କୁ ବେଲେଶ୍ୱର ପୀଠକୁ ସ୍ବାଗତ କରି ଏକ ତୋରଣ ସଗର୍ବେ ଠିଆ ହୋଇଛି। ସେଠାରୁ ଜଳଭଣ୍ଡାର ସଂଲଗ୍ନ ଇଲାକାରେ ପାହାଡ କାଟି ସର୍ପିଳ ଘାଟି ରାସ୍ତାରେ ପାଖାପାଖି ୪ ଶହ ମିଟର ଉପରକୁ ଉଠିବା ପରେ ପଡ଼େ ପ୍ରସିଦ୍ଧ ବେଲେଶ୍ଵର ପୀଠ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଅନ୍ୟତମ ପର୍ଯ୍ୟଟନ ଆକର୍ଷଣ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନକୁ ଲାଗି ରହିଛି ଏହି ସ୍ଥାନ। ବେଲ ବଣ କାଟି ମନ୍ଦିର ନିର୍ମାଣ କରାଯାଇଥିବାରୁ ପୀଠଟି ବେଲେଶ୍ୱର ମନ୍ଦିର ଭାବେ ଖ୍ୟାତ। ସୁଉଚ୍ଚ ମୂର୍ତ୍ତି ପଛ ଭାଗରେ କୋଣାର୍କ ମନ୍ଦିର ଢାଞ୍ଚାରେ ବଉଳ ପଥରରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଛି।ଏବେ ଏହି ପୀଠରେ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ନିର୍ମାଣ କରାଯାଇଛି। ଏଥିରେ ଗୋଟିଏ ସ୍ଫଟିକ ଲିଙ୍ଗ, ଗୋଟିଏ ପାରଦ ଲିଙ୍ଗ ସ୍ଥାନିତ ହୋଇଛନ୍ତି। ଏତଦ୍ବ୍ୟତୀତ ଶ୍ରୀଗଣେଷ, ଶ୍ରୀକାର୍ତ୍ତିକ, ମାତା ପାର୍ବତୀ ମନ୍ଦିର ସାଙ୍ଗକୁ ବର୍ତ୍ତମାନ ପାହାଡ଼ର ଆଉ ଏକ ପରିତ୍ୟକ୍ତ ଇଲାକାକୁ କାଟି ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଉଛି। ବ୍ରିଟିଶ ଅମଳର ଭଞ୍ଜନଗର ଜଳଭଣ୍ଡାରକୁ ଲାଗି ପାହାଡ଼ିଆ ଇଲାକାରେ ନିର୍ମିତ ଏହି ବେଲେଶ୍ଵର ମନ୍ଦିର ସତେ ଯେମିତି ମହାଦେବଙ୍କ ପାଦ ସ୍ପର୍ଶ କରି ଧନ୍ୟ ହୋଇଛି।
ଯୋଗଧ୍ୟାନ ପାଇଁ ସ୍ୱତନ୍ତ୍ର ପାନ୍ଥ ନିବାସ, ସୁଦୀର୍ଘ ରୋଷଘର ସାଙ୍ଗକୁ ଏକକାଳୀନ ସହସ୍ରାଧିକ ଲୋକ ବସି ପ୍ରସାଦ ସେବନ କରିବା ଭଳି ଭୋଜନାଳୟ, ଅନେକ କୃତ୍ରିମ ଝରଣା (ଫାଉଣ୍ଟେନ୍) ମଧ୍ୟ ନିର୍ମିତ ହୋଇଛି ଏଠାରେ। ସନ୍ଧ୍ୟା ହେଲେ ଆଲୋକମାଳାରେ ଝଲସି ଉଠେ ଏହି ଶୈବପୀଠ।
ଏହି ପୀଠକୁ ନେଇ ବହୁ ଭଜନ ସିଡି ଓ ଭିଡିଓ ଭକ୍ତଜନଙ୍କ ମନ ପ୍ରାଣକୁ ଛୁଉଁଛି। ବିଭିନ୍ନ ସମୟରେ ଏଠାରେ ନାମ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ କରାଯାଇଆସୁଛି। ବିଶେଷ କରି ଶ୍ରାବଣ ମାସ, ମହାଶିବ ରାତ୍ରି ଜାଗର ଓ ଅନ୍ୟାନ୍ୟ ପର୍ବପର୍ବାଣି ସମୟରେ ଏଠାରେ ଭକ୍ତଙ୍କ ସମାଗମ ହୋଇଥାଏ। ବାବା ବେଲେଶ୍ୱର ଙ୍କ ମନ୍ଦିର କେବଳ ପୂଜା ପାଠର ସ୍ଥାନ ନୁହେଁ, ଏହା ଆଧ୍ୟାତ୍ମିକ ଶାନ୍ତି ଓ ଆତ୍ମିକ ଶୁଦ୍ଧିର ଏକ ପବିତ୍ର କ୍ଷେତ୍ର। ଭକ୍ତମାନେ ଏଠାରେ ଜପ ଓ ଧ୍ୟାନ ମାଧ୍ୟମରେ ମାନସିକ ଶାନ୍ତି ଲାଭକରୁଥିବା ପ୍ରକାଶ କରିଛନ୍ତି। ବାବା ବେଲେଶ୍ୱର ଙ୍କ କୃପାରେ ରୋଗ ନିରାମୟ, ବିବାଦ ସମାଧାନ ଓ ଜୀବନରେ ସକରାତ୍ମକ ପରିବର୍ତ୍ତନ ସମ୍ଭବ ହୋଇଛି ବୋଲି ଅନେକ ଭକ୍ତ ପ୍ରକାଶ କରିଛନ୍ତି।