
ଭଞ୍ଜନଗର ୧୫/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌରପରିଷଦର ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା ଜାରି ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭି. କିର୍ତ୍ତୀ ଭାସନଙ୍କ ପକ୍ଷରୁ ଜାରି ହୋଇଥିବା ଅଧିସୂଚନା ଅନୁସାରେ ନବଗଠିତ ଭଞ୍ଜନଗର ପୌରପରିଷଦରେ ୨୭ଟି ୱାର୍ଡ ରହିବ। ପ୍ରତ୍ୟେକ ୱାର୍ଡର ସୀମାରେଖା ସ୍ପଷ୍ଟ କରାଯାଇଛି।
ଆସନ୍ତା ୨୧ ତାରିଖ ହେଉଛି ଏହା ଉପରେ ପ୍ରତିବାଦ କରିବାର ଶେଷ ଦିବସ। ୨୬ ତାରିଖ ପ୍ରୋଭିଜନ୍ ତାଲିକା ପ୍ରକାଶିତ ହେବ। ଫେବ୍ରୁଆରୀ ୨୬ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ନିକଟରେ ଅପିଲ୍ କରିହେବ। ଜିଲ୍ଲାପାଳ ଏବଂ ନଗର ଉନ୍ନୟନ ବିଭାଗ ନିକଟରେ ଶୁଣାଣି ମାର୍ଚ୍ଚ ୧୬ରୁ ୨୮ ତାରିଖ ମଧ୍ୟ ହେବ । ମାର୍ଚ୍ଚ ୩୧ରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଭଞ୍ଜନଗର ପୌର ପରିଷଦରେ ବାଉଁଶଲୁଣ୍ଡି ଓ ଲାଲସିଂ ପଞ୍ଚାୟତ ସମ୍ପୂର୍ଣ ସାମିଲ ହୋଇଛି। ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ, ବଡ଼କୋଦଣ୍ଡା ପଞ୍ଚାୟତର ସାନପଥରା ଓ ଡିହପଢ଼ାଳ ପଞ୍ଚାୟତର ଜାମପଲ୍ଲୀ ଗାଁ ମଧ୍ୟ ମିଶ୍ରଣ ହୋଇଛି। ଏହି ଏନ୍ଏସିରେ ପୂର୍ବରୁ ୧୫ଟି ୱାର୍ଡ ଥିବାବେଳେ ଏଥିରେ ସେଭଳି କିଛି ପରିବର୍ତ୍ତନ କରାଯାଇ ନାହିଁ । କେବଳ ଓ୍ୱାର୍ଡ – ୧ର କିଛି ଅଂଶ ୱାର୍ଡ – ୨୭ରେ ସାମିଲ କରାଯାଇଛି। ଏହାକୁ ବାଦ୍ ଦେଲେ ଲାଲସିଂ ପଞ୍ଚାୟତକୁ ୬ଟି, ବାଉଁଶଲୁଣ୍ଡି ପଞ୍ଚାୟତକୁ ୪ଟି ୱାର୍ଡରେ ବିଭକ୍ତ କରାଯାଇଛି। ଲାଲସିଂ ପଞ୍ଚାୟତର ବାଇପାସ୍ ଛକ, ଆଦିନି କଲୋନୀ, ଗାନ୍ଧୀନଗର, ଓକାରିମ୍ ସାହି, ରାମ ମନ୍ଦିର ସାହି, ଗାୟତ୍ରୀ ନଗର, ଅରବିନ୍ଦ ଓ ଚିଦାନନ୍ଦ ମାର୍ଗ ଆଦି ସାମିଲ ହୋଇ ୱାର୍ଡ – ୧୬ ଗଠିତ ହୋଇଛି। ୱାର୍ଡ – ୧୭ରେ ଲାଲସିଂ ବଡ଼ଦାଣ୍ଡ, ଆଡୁଆ ସାହି, ନୂଆ ସାହି, ପଣ୍ଡା କଲୋନୀ, ଶଙ୍କର ସାହି ଓ ଶିବ ମନ୍ଦିର ସାହି ରହିଛି। ୱାର୍ଡ – ୧୮ରେ ରହିଛି ଲାଲସିଂ ଗୋଲାପଦର ସାହି, କେଉଟ ସାହି, ପଞ୍ଚାୟତ ଅଫିସ, ମେଇନ୍ ରୋଡ୍, ଲଣ୍ଡେଇ ସାହିର କିଛି ଅଂଶ, ଛେଦାଭୂମି ରୋଡ୍, ରାମକୃଷ୍ଣ ନଗର ଆଦି। ଓ୍ୱାର୍ଡ-୧୯ରେ ଲଣ୍ଡେଇ ସାହିର ଆଉ ଏକ ଅଂଶ ସହ ବିଛୁଆତି, ଲାଲସିଂ ପଲ୍ଲୀ, ରସଲକୁଣ୍ଡା ଜଳଭଣ୍ଡାର ରହିଛି। ୱାର୍ଡ – ୨୦ରେ ଛେଦାଭୂମି ବଡ଼ଦାଣ୍ଡ ସାହି, ସ୍କୁଲ ସାହି, ଭୂତଗଡ଼ା ସାହି ଓ ବାରି ସାହି ରହିଥିବାବେଳେ ୱାର୍ଡ – ୨୧ରେ ମେଇନ୍ ରୋଡ୍ ନୂଆ ସାହି, ବାରି ସାହି, ରାଜକୁ ଣ୍ଡପଲ୍ଲୀ, କନ୍ଧ ସାହି, ହାଡ଼ି ସାହି ଓ ପାଣ ସାହି ଆଦି ରହିଛି। ୱାର୍ଡ – ୨୨ରେ ଧୁଆଁଛାଇ ବଡ଼ଦାଣ୍ଡ, ବାରି ସାହି, ହରିଜନ ସାହି, ଅନଳ କୂଅ ସାହି, ତଳ ସାହି, କରଣ ସାହି, ଭୂତମୂଳ ସାହି, ଗାମୁଣ୍ଡି ବଡ଼ଦାଣ୍ଡର ଗୋଟିଏ ପାର୍ଶ୍ଵ, ଗାମୁଣ୍ଡି ଧୋବା ସାହି, ଭଗବତ ସାହି ଓ ଆନନ୍ଦ ନଗର ଠାରୁ ଲୋହରାଖଣ୍ଡି ନଦୀ ଯାଏଁ ରହିଛି।
ଓ୍ବାର୍ଡ -୨୩ରେ ନୂଆ ସାହି, ହରିଜନ ସାହି, ଗୋପି ନାଥ ସାହି, ଗୁଡ଼ିଆ ସାହି, ଗାମୁଣ୍ଡି ବଡ଼ଦାଣ୍ଡ ସାହି ଓ ନାଳ ସାହି ରହିଛି। ଅଗଝୋଳ ଓ ସାନପଥରା ଗାଁ ସହ ଚାକୁଣ୍ଡାପଲ୍ଲୀ, ଡିଫେନ୍ସ କଲୋନୀକୁ ୨୪ ରେ ସାମିଲ କରାଯାଇଛି।
ୱାର୍ଡ – ୨୫ରେ ବାଉଁଶଲୁଣ୍ଡି ମେଇନ୍ ରୋଡ୍, ସତ୍ୟସାଇ ସ୍କୁଲ ପାଖ ବଡ଼ ଦାଣ୍ଡ ସାହି, ବର୍ମା ସାହି, ଡୁବୁଡୁବା ସାହି, ବଡ଼କୋଦଣ୍ଡା ଛକ, ଅମର ନଗର ଆଦି ରହିଛି। ଓ୍ବାର୍ଡ- ୨୬ରେ ରହିଛି ବାଉଁଶଲୁଣ୍ଡି ଆଡୁଆ ସାହି, ବଡ଼କୋଦଣ୍ଡା ରୋଡ୍, ସତ୍ୟ ନଗର, ଖଦାଳ ସାହି, ଡିଫେନ୍ସ କଲୋନୀ ବିଲ ସାହି, ପାଣ ସାହି, ବାଇପାସ୍ ରୋଡ୍ ଓ ଢୁଢୁଆ ଅଞ୍ଚଳ।ଜାମପଲ୍ଲୀ ଗାଁ ସହ କନ୍ଧ ସାହି, ବେଲଗୁଣ୍ଠା ରୋଡ୍ ଇଲାକା, ରାଧାକୃଷ୍ଣ ସାହି, ଶ୍ରୀବିହାର ଆଦି ୨୭ ରେ ସାମିଲ କରାଯାଇଛି।