ଉଚ୍ଚ ଶକ୍ତିଶାଳୀ ଲାଉଡ଼ସ୍ପିକର ବ୍ୟବହାର ବିରୋଧରେ ଦାବିପତ୍ର ପ୍ରଦାନ

ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ୱାର ଅଞ୍ଚଳର ପରିଚିତ ସମାଜସେବୀ ତଥା ସଭାପତି ଷ୍ଟେଟ ହ୍ୟୁମାନ ରାଇଟ୍ସ କାଉସିଲ (ଟ୍ରଷ୍ଟ) ସସ୍ମିତା ଦାସ ଓଡିଶା ମାନବ ଅଧିକାର ଆୟୋଗଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ସେ ଅଭିଯୋଗରେ କହିଛନ୍ତି ଯେ କଟକରେ ଥିବା ଏକାଧିକ ମସଜିଦରେ ଉଚ୍ଚ ଶକ୍ତିଶାଳୀ ଲାଉଡସ୍ପିକର ବ୍ୟବହାର ହଉଛି, ଯାହାର ଶବ୍ଦ ଦୂରଦୂରନ୍ତ ପର୍ଯ୍ୟନ୍ତ ପ୍ରସାରିତ ହେଉଛି ।
ତାଙ୍କ ଅଭିଯୋଗ ଅନୁସାରେ ପ୍ରତିଦିନ ପ୍ରଭାତ ସମୟ ସହିତ ଦିନର ବିଭିନ୍ନ ସମୟରେ ଅତ୍ୟଧିକ ଶବ୍ଦରେ ଲାଉଡସ୍ପିକର ବଜାଯାଉଥିବାରୁ ଅଞ୍ଚଳବାସୀଙ୍କ ଦୈନିକ ଜୀବନ ବିପର୍ଯ୍ୟସ୍ତ ହେଉଛି । ଏହାର ପରିଣାମସ୍ୱରୂପ ନିଦ୍ରା ଭଙ୍ଗ, ମାନସିକ ଚାପ, ବୃଦ୍ଧ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ କାମକାଯ୍ୟ ଓ ଛାତ୍ର ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢ଼ାରେ ବାଧା ସୃଷ୍ଟି ହେଉଥିବା ଉଲ୍ଲେଖ କରାଯାଇଛି ।
ସେ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ନିକଟରେ ପୂର୍ବରୁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ ହୋଇନାହିଁ ।
ଅଭିଯୋଗରେ ଉଲ୍ଲେଖ ଅଛି ଯେ ଭାରତୀୟ ସମ୍ବିଧାନର ଧାରା 21 ଅନୁଯାୟୀ ଜୀବନର ଅଧିକାରରେ ଶାନ୍ତିପୂର୍ଣ୍ଣ ଜୀବନ, ସ୍ୱାସ୍ଥ୍ୟ ଓ ନିଦ୍ରା ଅଧିକାର ସମ୍ମିଳିତ । ଏହା ସହ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ବିନିୟମ) ନିୟମ, 2000 ଅନୁସାରେ ରାତି 10ଟାରୁ ପ୍ରଭାତ 6ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବ୍ୟବହାର ନିଷିଦ୍ଧ, ବିଶେଷ ଅନୁମତି ବ୍ୟତୀତ ।
ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ମଧ୍ୟ ଅତ୍ୟଧିକ ଶବ୍ଦ ମାନବ ଅଧିକାର ଓ ଶାନ୍ତିପୂର୍ଣ୍ଣ ଜୀବନକୁ ଲଂଘନ କରେ ବୋଲି ଅଭିଯୋଗରେ ଉଲ୍ଲେଖ ହୋଇଛି ।
ଶ୍ରୀମତୀ ସସ୍ମିତା ଦାସ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ଯେ ଘଟଣାର ତଦନ୍ତ କରାଯାଉ, ଜିଲ୍ଲା ପ୍ରଶାସନ ଓ ପୋଲିସଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଉ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଶବ୍ଦ ମାପ ହେଉ ଏବଂ ଯେଉଁମାନେ ନିୟମ ମାନୁ ନାହାନ୍ତି ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଉ ।ଏହି ଅଭିଯୋଗର ନକଲ ମୁଖ୍ୟମନ୍ତ୍ରୀ, ଡିଜିପି, ଆଇନ ମନ୍ତ୍ରୀ,ଜିଲ୍ଲାପାଳ, ଡିସିପି କଟକ, ଏସପି କଟକ (ଗ୍ରାମାଞ୍ଚଳ ) ଆଇଆଇସି ଚୌଦ୍ୱାର, ଆଇଆଇସି ଦରଘା ବଜ଼ାର, ଆଇଆଇସି କ୍ୟାଣ୍ଟେନମେଣ୍ଟ, ଆଇଆଇସି ମଙ୍ଗଳାବାଗ ପୋଲିସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଠାଯାଇଛି ।