ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଖଡ଼ିଆଳରେ ଅଧିକାରମିତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୂଆପଡ଼ା ତା:୧୭.୦୨ (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଖଡ଼ିଆଳ ତାଲୁକ୍ ଆଇନ ସେବା କମିଟି, ସିନାପାଲି ଓ ବୋଡ଼େନର ଅନ୍ତର୍ଗତ ନବନିଯୁକ୍ତ ଅଧିକାର ମିତ୍ର (ପାରା ଲିଗାଲ୍ ଭଲ୍ୟୁନ୍ଟିଅର)ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟର ସଭାଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ସଚିବ ନବନୀତା ଦାଶ, ଖଡ଼ିଆଳର ବରିଷ୍ଠ ଦେୱାନୀ ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଇଶା ପତି, ବିଚାରବିଭାଗୀୟ ଦଣ୍ଡାଧିକାରୀ, ଖଡ଼ିଆଳ ସମିକ୍ଷା ସା, ଖଡ଼ିଆଳ ଓକିଲ ସଂଘ ସଭାପତି ପ୍ରତାପ କୁମାର ଜଗତ, ପ୍ରାଧିକରଣର ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ବନ ବିଭାଗର ଏ.ସି.ଫ ମହମ୍ମଦ ସାଲେହା, ଶ୍ରମ ବିଭାଗର ସହକାରୀ ଶ୍ରମ ଅଧିକାରୀ ନିଖିଲ ଅଗ୍ରୱାଲ୍, ଖଡ଼ିଆଳ ତାଲୁକ ଆଇନ ସେବା ସମିତିର ପ୍ୟାନେଲ୍ ଓକିଲ ତଥା ପ୍ରଶିକ୍ଷକ ଦ୍ଵିତିକୃଷ୍ଣ ବେହେରା, ଆଲୋକ ତିୱାରୀ ଓ ରବୀନ୍ଦ୍ର କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ୫୦ ଜଣ ଅଧିକାରମିତ୍ର ଆଇନ ସେବା ପ୍ରାଧିକରଣ ଅଧିନିୟମ, ମାଗଣା ଆଇନ ସେବା, ମୌଳିକ କର୍ତ୍ତବ୍ୟ, ମୌଳିକ ଅଧିକାର, ସମ୍ବିଧାନ ଧାରା ୩୯ କ ରେ ବର୍ଣ୍ଣିତ ରାଜ୍ୟ ନୀତିର ନିର୍ଦ୍ଦେଶାତ୍ମକ ନୀତି, ଅଧିକରମିତ୍ରଙ୍କ କର୍ତ୍ତବ୍ୟ ଓ କାର୍ଯ୍ୟ ଶୈଳୀ ବିଷୟରେ ପ୍ରଶିକ୍ଷଣ ନେଇଥିଲେ।