ଚୌଦ୍ଵାର ପୋଲିସ ରିମାଣ୍ଡରେ ମଧୁକାନ୍ତ

ଚୌଦ୍ଵାର(ଶିବବ୍ରତ ଦାସ): ଚୌଦ୍ୱାର ଜେଲରୁ ଫେରାର ହୋଇଯାଇଥ‌ିବା ବିହାରୀ କଏଦୀ ମଧୁକାନ୍ତ ରାଣାକୁ ଗିରଫ କରାଯିବା ପରେ କମିସନରେଟ ପୁଲିସ ୬ ଦିନିଆ ରିମାଣ୍ଡରେ ନେଇଛି। କଟକ ଡିସିପି ଓ ଚୌଦ୍ବାର ପୁଲିସର ୨ଟି ଦଳ ମଙ୍ଗଳବାର ଚୌଦ୍ୱାର ଜେଲ୍‌ରୁ କଡ଼ା ସୁରକ୍ଷାରେ ମଧୁକାନ୍ତକୁ ଚୌଦ୍ବାର ଥାନାକୁ ନିଆଯାଇଥିଲା। ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ ପରେ
ମଧୁକାନ୍ତକୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି। ଅସମର୍ଥିତ ସୂତ୍ର
ଅନୁଯାୟୀ; କଟକର ଏକ ଥାନା ପରିସରରେ ଥିବା ବାରାକ ଭିତରେ ମଧୁକ।ନ୍ତକୁ ରଖାଯାଇଛି। ଅପରାହ୍ନ ପର୍ଯ୍ୟନ୍ତ ବିଶେଷ କିଛି ପଚରା ଯାଇନଥିବା ସୂଚନା ମିଳିଛି। ମଧ୍ୟାହ୍ନରେ ଖାଦ୍ୟ କଥା ପଚରା ଯାଇଥିଲେ ହେଁ ପ୍ରଥମେ ମନା କରିବା ଓ ପରେ ଅଳ୍ପ କିଛି ଖାଦ୍ୟ ଗ୍ରହଣ କରିଥିଲା। ଆଗକୁ ୫ ଦିନ ରିମାଣ୍ଡ ଅବଧି ରହିଥ‌ିବାରୁ ପ୍ରଥମ ଦିନରେ ତାକୁ ଅଧିକ କିଛି ପଚରାଉଚରା କରାଯାଇନଥିଲା । ଅଭିଯୁକ୍ତ ମଧୁକାନ୍ତ ଯଦି ସବୁ ସତ ଓଗାଳେ; ତେବେ ଅନେକ ରହସ୍ୟ ଉନ୍ମୋଚନ ହେବ। ଫେରାର ଥିବା ଅନ୍ୟତମ ସାଥ୍‌ ଜେଲ୍‌ରୁ ଫେରାର ହେବାରେ ସେମାନଙ୍କୁ ଜେଲ ଭିତରେ ଓ ବାହାରେ କେଉଁମାନେ ସହଯୋଗ କରିଛନ୍ତି ସବୁ କିଛି ଜଣାପଡ଼ିବ ବୋଲି ପୁଲିସ ଆଶା ରଖୁଛି।
ସୂଚନା ଅନୁସାରେ; ଗତବର୍ଷ ଅକ୍ଟୋବର ୩ରେ ଚୌଦ୍ବାର ମଣ୍ଡଳ କାରାଗାରରୁ ଫେରାର ହୋଇ ଯାଇଥିବା ୨ ବିହାରୀ କଏଦୀଙ୍କ ମଧ୍ୟରୁ ମଧୁକାନ୍ତ କୁମାର ରାଣା (୨୪) ଉତ୍ତର ପ୍ରଦେଶ ବୃନ୍ଦାବନର ଏକ ଅତିଥିଶାଳାରେ ନାମ ବଦଳାଇ ଲୁଚି ରହିଥିଲା। କମିସନରେଟ ପୁଲିସ ଗତ ୧୪ ତାରିଖରେ ମଧୁକାନ୍ତକୁ ସେଠାରୁ ଧରିବାକୁ ସକ୍ଷମ ହୋଇଥିଲା । ଶନିବାର ଅପରାହ୍ନରେ ମଧୁକାନ୍ତକୁ ଅଦାଲତରେ ହାଜର କରିବା ପରେ ସନ୍ଧ୍ୟାରେ ଚୌଦ୍ବାର ମଣ୍ଡଳ କାରାଗାର ନିଆଯାଇଥିଲା । କମିଶନରେଟ ପୁଲିସ ପକ୍ଷରୁ ମଧୁକାନ୍ତକୁ ୭ ଦିନ ରିମାvଣ୍ଡରେ ନେବା ପାଇଁ ଜେଏମଏଫସି-୧ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ୬ଦିନ ରିମାଣ୍ଡ ମଞ୍ଜୁର କରିଥିଲେ।