
ଜଗନ୍ନାଥପ୍ରସାଦ- ୧୯/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗାଁ ରେ ସ୍ମଶାନ ଗୃହ ନିର୍ମାଣ ହେବ। ଆଉ ଏଠିସେଠି ଶବ ସତ୍କାର କରିବାକୁ ପଡିବନି କିମ୍ବା ବନ୍ୟା ବାତ୍ୟା ହେଲେ ମଧ୍ୟ ଶବ ଦାହ ପାଇଁ ଆଉ ସମସ୍ୟା ରହିବନି ।ଏଭଳି ଚିନ୍ତା ରଖିଥିଲେ ଗ୍ରାମବାସୀ ଗାଁ ରେ ନିର୍ମାଣ ହେଲା ସ୍ମଶାନ ଗୃହ ହେଲେ ସମସ୍ୟା ଯଥା ପୂର୍ଵମ ତଥା ପରମ । କାରଣ ନିର୍ମାଣ ସ୍ମଶାନ କୁ ରାସ୍ତା ନାହିଁ । ଜମି ମଝିରେ ସରକାରୀ ଜାଗା ଟିକିଏ ପାଇ ସେଠାରେ ପାଞ୍ଚଲକ୍ଷ ଟଙ୍କା ସରକାରୀ ଅନୁଦାନ ରେ ତରବରିଆ ଭାବେ ସ୍ମଶାନ ଗୃହ ନିର୍ମାଣ କରାଯାଇଛି । ଏହି ସ୍ଥାନକୁ ପଂହଁଚିବା ପାଇଁ ରାସ୍ତା ନଥିବାରୁ ନିର୍ମାଣର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା ଏହି ସ୍ମଶାନ ଗୃହ ରେ ଗୋଟିଏ ମଧ୍ୟ ଶବ ଦାହ ହୋଇନାହିଁ । ଏହାର ଚତୁଃପାର୍ଶ୍ଵ ଲତାବୁଦା ରେ ଭରପୁର ହୋଇ ଭୟଙ୍କର ଦେଖାଯାଉଛି । ରାସ୍ତା ନଥାଇ ସେହିସମୟର ଯନ୍ତ୍ରୀ ଓ ବ୍ଲକ ପ୍ରଶାସନ କିପରି କାର୍ଯ୍ୟାଦେଶ ପ୍ରଦାନ କଲେ ଓ କିଭଳି ବିଲ ହେଲା ଏହାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଏସମ୍ପର୍କରେ ବ୍ଲକ ବିଡ଼ିଓ ମନ୍ମଥ ମଲ୍ଲିକ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସ୍ମଶାନ କୁ ରାସ୍ତା ବାହାର କରିବା ପାଇଁ ତହସିଲଦାର ଙ୍କୁ ଜଣାଇଛନ୍ତି ।