ଖଣି ଅଧିକାରୀଙ୍କ ‘ଖଣି’ରୁ ବାହାରିଲା କୋଟି କୋଟି ଟଙ୍କା! ୪ କୋଟିରୁ ଉର୍ଦ୍ଧ୍ଵ ନଗଦ ଟଙ୍କା; ଜଗତପୁର ଅଫିସ ଡ୍ରରୁ ଲକ୍ଷେରୁ ଉର୍ଦ୍ଧ୍ଵ ଟଙ୍କା, ଭିଜିଲାନ୍ସ ଇତିହାସରେ ରେକର୍ଡ

ଚୌଦ୍ୱାର (ଶିବବ୍ରତ ଦାସ ): ମାଟି ତଳୁ ଖଣିଜ ମିଳେ ବୋଲି ଆମେ ଶୁଣିଥିଲୁ, କିନ୍ତୁ ଏବେ ଲାଗୁଛି କେତେକ ଅଧିକାରୀଙ୍କ ଘରେ ମଧ୍ୟ ‘ନଗଦ ଖଣି’ ଲୁଚିଥାଏ! କଟକ ମଣ୍ଡଳର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ, ତାଙ୍କ ଘରୁ ବାହାରିଲା ୪ କୋଟିରୁ ଅଧିକ ନଗଦ ଟଙ୍କା।ତାହା ସହିତ ଜଗତପୁର ସ୍ଥିତ କାର୍ଯ୍ୟାଳୟ ଟେବୁଲ ଡ୍ରରୁ ଲକ୍ଷେରୁ ଉର୍ଧ୍ଵ ଟଙ୍କା ମିଳିବା ସନ୍ଦେହ ସୃଷ୍ଟି କରୁଛି କି ସରକାରୀ ଦରମାରେ ଏତେ ସଞ୍ଚୟ? ନାକି ଏହା ‘ଅତିରିକ୍ତ ଆୟ’ର ଚମତ୍କାର? ଭିଜିଲାନ୍ସ ଚଢ଼ାଉ ସମୟରେ ଟଙ୍କା ଗଣିବାକୁ ମେସିନ୍‌ ଲାଗିଥିଲା ବୋଲି ସୂଚନା। ନଗଦର ଢେଉ ଦେଖି ଅନେକଙ୍କ ଆଖି ଚକିତ, ଯେଉଁଠାରେ ସାଧାରଣ ଲୋକ ଦିନକୁ ଦିନ ଖର୍ଚ୍ଚ ଚିନ୍ତାରେ ଅସ୍ତବ୍ୟସ୍ତ। ଏହି ଜବତକୁ ଓଡ଼ିଶା ଭିଜିଲାନ୍ସ ଇତିହାସର ସର୍ବାଧିକ ନଗଦ ଜବତ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ପ୍ରଶ୍ନ ହେଉଛି ଏହି ଟଙ୍କା କେବଳ ଗୋଟିଏ ଅଧିକାରୀଙ୍କ ‘କୌଶଳ’ ନା ଏକ ବଡ଼ ଶୃଙ୍ଖଳାର ଛୋଟ ଚକ୍ର?
ଏବେ ଦେଖିବାକୁ ବାକି ତଦନ୍ତର ଖଣି କେତେ ଗହୀରକୁ ଖୋଦାଯିବ ଏବଂ ଆଉ କେତେ ‘ରତ୍ନ’ ବାହାରିବ! ଜନତାଙ୍କ ଆଶା, ଏହି ଘଟଣା କେବଳ ଖବର ଶିରୋନାମାରେ ନୁହେଁ, ଦୁର୍ନୀତି ବିରୋଧରେ ଦୃଢ଼ ପଦକ୍ଷେପରେ ପରିଣତ ହେଉ।