
ବାଲିପଦର: ୨୫/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ସରକାରୀ ଡାକ୍ତର ଖାନା ସଂପ୍ରତି ଏକ ମରଣ ଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ମେଡିକାଲ ପରିସର ଜଳାର୍ଣ୍ଣବ ହୋଇ ରୋଗୀଙ୍କ ଯାତାୟାତ ବାଧାପ୍ରାପ୍ତ ହେବାସହ ନୂତନ ରୋଗ ସ୍ରୁଷ୍ଟି ହେବାର ସମ୍ଭାବନା ରହିଛି। ଅଞ୍ଚଳର ୫୦ଖଣ୍ଡ ଗ୍ରାମର ଅଧିବାସୀ ମାନେ ଏହି ଡାକ୍ତର ଖାନା ଉପରେ ନିର୍ଭର କରୁଥିବା ବେଳେ ଦିନକୁ ଗୋଟିଏ ଓଳି ମେଡିକଲ ଖୋଲା ଯାଉଛି। ଦିନ ୧୨ଟା ପରେ ମେଡିକାଲ ବନ୍ଦ ରବିବାର ଦିନ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ରୋଗୀ ହନ୍ତସନ୍ତ ହୋଇ ପଡୁଛନ୍ତି। ଏଠାର ପ୍ରସୁତି ବିଭାଗକୁ ଉଠାଇ ଦିଆ ଯାଇ ଥିବାରୁ ଆସନ୍ନ ପ୍ରସବ ମହିଳା ମାନେ ବ୍ରହ୍ମପୁର ଉପରେ ନିର୍ଭର କରିଥାନ୍ତି। ଜଣେ ଷ୍ଟାଫ୍ ନର୍ସ ଙ୍କ ଅବସର ପରେ ଖାଲିଥିବା ସ୍ଥାନରେ ନୂତନ ଭାବେ କାହାରିକୁ ନିଯୁକ୍ତି ନଥିବାରୁ ରୋଗୀ ହଟହଟା ହେଉଛନ୍ତି। ଛଅ ଶଯ୍ୟା ବିଶିଷ୍ଟ ଉକ୍ତ ଡାକ୍ତର ଖାନା ଆଜି ସମ୍ପୂର୍ଣ୍ଣ ନାହିଁ ନାହିଁ ରେ ଚାଲିଛି। ଦୀର୍ଘ ବର୍ଷ ଧରି ଜଣେ ଫାର୍ମାସିଷ୍ଟ ଏହି ମେଡିକାଲକୁ ଚଳାଉଥିବା ବେଳେ ଯେଉଁ ଡାକ୍ତର ନିଯୁକ୍ତି ହେଉଛନ୍ତି ତାଙ୍କୁ ବୁଗୁଡ଼ା ଡାକ୍ତର ଖାନାକୁ ଡେପୁଟେସନ୍ କରି ଦିଆଯାଉଛି। ବର୍ତ୍ତମାନ ମାତ୍ର ଚାରି ଜଣ କର୍ମଚାରୀ ରହିଥିବା ବେଳେ ଆହୁରି ଛଅଜଣ କର୍ମ ଚାରୀ ଙ୍କ ଅଭାବ ରହିଛି। ବିଶେଷ କରି ଅପରାହ୍ନ ଓ ସନ୍ଧ୍ଯା ସମୟରେ ମେଡିକାଲରେ ସିକ୍ୟୁରିଟି ଗାର୍ଡ ଓ ନାଇଟ୍ ୱାଚର ବ୍ୟତୀତ ଜଣେ ବି କେହି ରହୁ ନଥିବାରୁ ଜନସାଧାରଣଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ ଏଥି ପ୍ରତି ଦ୍ରୁଷ୍ଟି ଦେଇ କାର୍ଯନୁଷ୍ଠାନ ଗ୍ରହଣ କଲେ ଅଞ୍ଚଳ ବାସୀ ଉପକ୍ରୁ୍ତ ହୋଇ ପାରନ୍ତେ।