ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଭଂଜନଗର – ୨୫/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବନ୍ଦ ଘର ଭିତରୁ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠପଲ୍ଲବା ଗାଁରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ରଶ୍ମିତା ଗୌଡ (୨୪) । ବୁଧବାର ପୂର୍ବାହ୍ନରେ ବନ୍ଦ ଘର ଭିତରୁ ଫେନ୍ ରେ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଧାର କରାଯାଇଥିଲା । ତେବେ ଏନେଇ ବାପଘର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି । ଘଟଣା ପ୍ରକାରେ ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ସ୍ବର୍ଗତ ଚିନ୍ତାମଣି ଗୌଡ ଙ୍କ ଝିଅ ରଶ୍ମିତା ଗୌଡ । ବର୍ଷକ ପୂର୍ବରୁ ଗୁଣ୍ଠପଲ୍ଲବା ଗାଁରେ ପୁନିଆ ଗୌଡ ଙ୍କ ପୁଅ ଜିତେନ୍ଦ୍ର ଗୌ କୁ ବୈଦିକ ରୀତିରେ ବିବାହ କରିଥିଲେ । ଅଭିଯୋଗ ପ୍ରକାରେ, ପରବର୍ତ୍ତୀ ସମୟରେ ଶଶୁର ଘର ପକ୍ଷରୁ ରଶ୍ମିତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଏହାସହ ଅଧିକ ଯୌତୁକ ଆଣିବା ପାଇଁ କୁହାଯାଇଥିଲା । ବୁଧବାର ପୂର୍ବାହ୍ନରେ ରଶ୍ମିତା ରହୁଥିବା କୋଠରୀ ବନ୍ଦ ଥିବା ବେଳେ, ପରବର୍ତ୍ତୀ ସମୟରେ କବାଟ ଭାଙ୍ଗି ଦେଖିବା ବେଳକୁ ତାଙ୍କର ମୃତଦେହ ଫ୍ୟାନ୍ ରେ ଝୁଲୁଥିଲା । ଖବର ପାଇ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ ଏବଂ ଷ୍ଟାଫ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତଦେହକୁ ଉଦ୍ଧାର କରିଥିଲେ । ରଶ୍ମିତା ଆତ୍ମହତ୍ୟା କରିଥିବା ନେଇ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ମୃତ ରଶ୍ମିତାଙ୍କ ଭାଇ ଶିବାନନ୍ଦ ଗୌଡ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତିଯେ ତାଙ୍କ ଭଉଣୀକୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଘଟଣା ସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଯାଇଛି । ମୃତ ରଶ୍ମିତା ୩ ମାସର ଗର୍ଭବତୀ ଥିବା କୁହାଯାଇଛି । ଏନେଇ ଗାଙ୍ଗପୁର ଥାନା କେଶ୍ ନମ୍ବର ୮୬/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।