ଡ୍ରେନର ଶେଷ ପଏଣ୍ଟ ନାହିଁ, ଦଶ ବର୍ଷର ଯନ୍ତ୍ରଣା: ପ୍ରଶାସନର ଅବହେଳାରେ ଲୋକଙ୍କ ଦୁର୍ଦଶା

ନୂଆପଡା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପ୍ରଶାସନ କେବଳ କାଗଜରେ ଯୋଜନା କରିବାରେ ବ୍ୟସ୍ତ । ମାଟିସ୍ତରରେ ସମସ୍ୟା ସମାଧାନ ପାଇଁ ଯଥେଷ୍ଟ ଉଦ୍ୟମ ନଜରକୁ ଆସୁନି । ଲୋକଙ୍କ ଦୈନନ୍ଦିନ ସମସ୍ୟା ଅନୁଦିଷ୍ଟ ରହୁଥିବା ବେଳେ ପ୍ରଶାସନୀୟ ଶିବିର ଓ ଦେଖାଣିଆ କାର୍ଯ୍ୟକ୍ରମରେ ଯଥେଷ୍ଟ ଆଡମ୍ବର ଦେଖିବାକୁ ମିଳୁଛି | ଏମିତି ଏକ ଘଟଣା ଯାହା ସିନାପାଲି ଅଞ୍ଚଳର ବସଷ୍ଟାଣ୍ଡ, ଗୁଡ଼ିଆ ଛକ, ବୁଡୁ ଫିଟର ଗଳି, ମହୁଲଗଛିଏନ ମନ୍ଦିର ପଡା, ମହାଜନ ପଡା, ବରୁଣ ଛକ, ହନୁମାନ ମନ୍ଦିର ଓ ଗାନ୍ଧୀନଗର ଅଞ୍ଚଳରେ ଡ୍ରେନ୍ ସମସ୍ୟା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ଷା ହେଉ କି ଦୈନନ୍ଦିନ ଗୃହସ୍ଥ ପାଣି, ସମସ୍ତ ଗୋଟିଏ ଡ୍ରେନ୍‌ରେ ପ୍ରବାହିତ ହେଉଥିବା ସତ୍ୱେ ଏହାର କୌଣସି ନିର୍ଦ୍ଧାରିତ ଶେଷ ପଏଣ୍ଟ ନଥିବାରୁ ପାଣି ଉଚିତ ସ୍ଥାନକୁ ପହଁଞ୍ଚିପାରୁନାହିଁ । ଫଳସ୍ୱରୂପ, ଡ୍ରେନ୍‌ର ପାଣି ଶେଷରେ ଜମା ହେଉଛି ସ୍ଥାନୀୟ ନିବାସୀ ବୁଟିଆ ମେହେରଙ୍କ ଜମିରେ, ଯାହା ମଧୁଶାଳା ଏଫଏଲ୍ ଅନ୍ ଶପ୍‌ ନିକଟରେ ଅବସ୍ଥିତ । ସୂଚନା ଅନୁଯାୟୀ, ବୁଟିଆ ମେହେର ଗତ ଦଶରୁ ବାର ବର୍ଷ ଧରି ଡ୍ରେନ୍‌କୁ ସମ୍ପ୍ରସାରିତ କରି ଆଗକୁ ବଢ଼ାଇବା ପାଇଁ ପ୍ରଶାସନଙ୍କ ପାଖରେ ହାତଯୋଡୁଛନ୍ତି । କଲେକ୍ଟରଙ୍କ ଜନଅଭିଯୋଗ ଶୁଣାଣି ହେଉ କି ଅନ୍ୟ କାର୍ଯ୍ୟାଳୟ, ପାଞ୍ଚ ଥରରୁ ଅଧିକ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ଫଳ ଶୂନ୍ୟ । ଫାଇଲ୍‌ରେ ଅଭିଯୋଗ ଥିଲେ ମଧ୍ୟ ମାଟିରେ କାମ ନାହିଁ। ଡ୍ରେନ୍‌ର କାମ ଆରମ୍ଭ ହୋଇ ଅଧାରେ ରୁହିଯାଇଛି, ଯାହା ଆଜି ପ୍ରଶାସନର ଅବହେଳାର ଜୀବନ୍ତ ସାକ୍ଷୀ । ଏହି ଅବସ୍ଥାରେ ବୁଟିଆ ମେହେରଙ୍କ ଜମିରେ ଚାଷ କରିବା ସମ୍ଭବ ହେଉନାହିଁ । ବର୍ଷ ବର୍ଷ ଧରି ଡ୍ରେନ‌ର ମଇଳା ପାଣି-କାଦୁଅ ଜମା ହେବାରୁ ମାଟିର ଉର୍ବରତା ନଷ୍ଟ ହୋଇଯାଇଛି । ନିଜ ଜମିର ଅବସ୍ଥା ଦେଖି ନିରୁପାୟ ହୋଇ ସେ ଦୁଇ ଦିନ ପୂର୍ବରୁ ଡ୍ରେନ୍‌କୁ ସମ୍ପୂର୍ଣ୍ଣ ଭାବେ ଅଟକାଇ ଦେଇଥିବା ଜଣାପଡ଼ିଛି । ଏହାର ପରିଣାମରେ ଏବେ ଡ୍ରେନ୍‌ର ପାଣି ଆଗକୁ ବହିପାରୁନାହିଁ ଏବଂ ଆସନ୍ତା ଦିନରେ ସେହି ଲାଇନ୍‌ର ହଜାର ହଜାର ଲୋକ ଭୟାବହ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ।ଜନସାଧାରଣଙ୍କ ପ୍ରଶ୍ନ ଯେ, ଦଶ ବର୍ଷ ଧରି ଅଭିଯୋଗ ପଡ଼ି ରହିଲେ ମଧ୍ୟ କାହିଁକି ନିଷ୍ପତ୍ତି ହେଉନାହିଁ ? କାହିଁକି ଡ୍ରେନ୍‌ର ଶେଷ ପଏଣ୍ଟ ନିର୍ଦ୍ଧାରଣ ହୋଇପାରୁନାହିଁ ? ଏହି ଘଟଣା ଆଉ ଏକଥା ସ୍ପଷ୍ଟ କରୁଛି ଯେ, ଯଦି ସମୟରେ ପ୍ରଶାସନ ସଚେତନ ହୋଇଥାନ୍ତା, ତେବେ ଆଜି ଜଣେ ଚାଷୀଙ୍କ ଜମି ନଷ୍ଟ ହେବା ସହ ଅନେକ ଲୋକଙ୍କ ଦୁଃଖର କାରଣ ସୃଷ୍ଟି ହେଉନଥାନ୍ତା । ଏବେ ମଧ୍ୟ ଯଦି ପ୍ରଶାସନ ତତ୍କ୍ଷଣାତ୍ ହସ୍ତକ୍ଷେପ କରି ଡ୍ରେନ୍‌ର ସଠିକ୍ ସମ୍ପ୍ରସାରଣ ଓ ଶେଷ ପଏଣ୍ଟ ନିର୍ଦ୍ଧାରଣ କରିନହେଁ, ତେବେ ସ୍ଥିତି ଆଉ ଗମ୍ଭୀର ରୂପ ନେବା ନିଶ୍ଚିତ । ଜନସାଧାରଣଙ୍କ ଦାବି, ଆଡମ୍ବର ନୁହେଁ, ପ୍ରୟୋଗ ଦରକାର; ପ୍ରଚାର ନୁହେଁ, ପ୍ରତ୍ୟକ୍ଷ କାର୍ଯ୍ୟଦକ୍ଷତା ଦରକାର । ଏବେ ଦେଖିବାକୁ ଅଛି, ପ୍ରଶାସନ ଏହି ଗୁରୁତର ସମସ୍ୟାକୁ କେବେ ଗମ୍ଭୀରତାର ସହିତ ନେବ ।