
ବୁଗୁଡ଼ା ୦୨/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ବୁଗୁଡ଼ା ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଘନ ଘନ ଛେଳି ଚୋରି ହେଉଥିବାବେଳ ଗତକାଲି ରାତିରେ ବି. ବ୍ରହ୍ମପୁର ଓ ତାକରଡ଼ା ଗ୍ରାମରୁ ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତ ରାତିରେ ବି. ବ୍ରହ୍ମପୁର ଗ୍ରାମର ବନା ଗୌଡ଼ଙ୍କ ୩୨ଟି ଛେଳି ଚୋରି ହୋଇଥିବାବେଳେ ତାକରଡ଼ା ଗ୍ରାମର ସୁବାଷ ନାୟକଙ୍କ ୭ଟି ଛେଳି ଚୋରି ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ବି. ବ୍ରହ୍ମପୁର ବନା ଗୌଡ଼ଙ୍କ ଗୁହାଳରେ ପଶି ତାଙ୍କର ସବୁ ଛେଳି ଚୋରି କରି ନେଇଯିବା ଫଳରେ ସେ ଏବେ ସମ୍ପୂର୍ଣ ଅସହାୟ ହୋଇପଡଛନ୍ତି। ସୁବାଷ ନିଜ ଗୁହାଳରେ ୨୨ଟି ଛେଳି ରଖିଥିବାବେଳେ ସେଥିରୁ ୭ଟି ଛେଳି ଚୋରି ହୋଇଯାଇଛି। ପୂର୍ବରୁ ମଧ୍ୟ ପାଙ୍ଗିଡ଼ି ଓ ବରଡ଼ିପଲ୍ଲୀ ଗ୍ରାମରୁ ଛେଳି ଚୋରି ଘଟଣାରେ ପୋଲିସ ଦୁର୍ବୁତ୍ତଙ୍କୁ ଧରିବାରେ ବିଫଳ ହୋଇଥିବାବେଳେ ଘନ ଘନ ଛେଳି ଚୋରି ଘଟଣାରେ ଛେଳି ମାଲିକମାନେ ଆତଙ୍କିତ ହୋଇପଡିଛନ୍ତି। ପଶୁ ସମ୍ପଦ ମନ୍ତ୍ରୀଙ୍କ ଅଞ୍ଚଳରେ ପଶୁମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବାବେଳେ ଏ ଦିଗରେ ପୋଲିସ କଣ କରୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହବୋଲିପଦର -ନୟାଗଡ ମୁଖ୍ୟ ରାସ୍ତା କଡରେ ଥିବା ଛେଳି ଫାର୍ମକୁ ଦୁର୍ବୁତ୍ତମାନେ ଟାର୍ଗେଟ କରୁଥିବାବେଳେ ଏହି ଛେଳି ଚୋରି ରାକେଟରେ କେବେ ଫର୍ଦାଫାଶ ହେବ ତାହାକୁ ସମସ୍ତଙ୍କ ଅପେକ୍ଷା।