ଷ୍ଟୋରୀ ଇମେଜ ପକ୍ଷରୁ “ଅବିର ଡାଲା”

ଚୌଦ୍ୱାର(ଶିବବ୍ରତ ଦାସ ): ଚୌଦ୍ୱାର କଲେଜର ଓଡ଼ିଆ ବିଭାଗର ଷ୍ଟୋରୀ ଇମେଜ ପକ୍ଷରୁ ରଙ୍ଗ ଓ ସାହିତ୍ୟର ନିଆରା ଆସର “ଅବିର ଡାଲା” ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଅବିରଡାଲାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଥିଲା “ବନ୍ଧୁ ଲାଗିଲେ ଏ ରଙ୍ଗ ଛାଡ଼ିବନି”। ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ପ୍ରାଧ୍ୟାପକ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ରଙ୍ଗ ଉତ୍ସବ କାର୍ଯ୍ୟକ୍ରମରେ ଗୀତିକାର ଦେବୀଦତ୍ତ ମହାନ୍ତି, ଅରୁଣ ମନ୍ତ୍ରୀ, ଅଶୋକ ପଣ୍ଡା, ଗଣେଶ୍ୱର ସ୍ୱାଇଁ, ବିଶିଷ୍ଟ ପ୍ରଯୋଜକ ତଥା ଯାଦୁଗର ବାପୁ ଲେଙ୍କା ପ୍ରମୁଖ ଯୋଗଦେଇ ହୋଲିର ବିଶେଷତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରେମର ବନ୍ଧନରେ ଏମାନବ ଜାତିକୁ ବାନ୍ଧି ରଖିବାର କୌଶଳ ବିଷୟରେ ବକ୍ତାମାନେ କହିଥିଲେ। କାର୍ଯ୍ୟକ୍ରମରେ ବାପୁ ଲେଙ୍କା ଯାଦୁର ଝଲକରେ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀମାନଙ୍କ ସଂଗୀତର ମୁର୍ଚ୍ଛନାରେ ମହାବିଦ୍ୟାଳୟ ପରିସର ସଂଗୀତମୟ ହୋଇ ଉଠିଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିମାନଙ୍କ ଗହଣରେ ପ୍ରଯୋଜକ ଦିଲ୍ଲୀପ ସାହୁ, ନାଟ୍ୟ ନିର୍ଦ୍ଦେଶକ ସୁକାନ୍ତ ରାଉତ, କବି ପ୍ରଫେସର ନିଖଳେଶ ମହାନ୍ତି, ଅଧ୍ୟାପିକା ପୁଷ୍ପଲତା ରଥ, ଦୀପକ ଦାସ, କଣ୍ଠ ଶିଳ୍ପୀ ଘନଶ୍ୟାମ ତ୍ରିପାଠୀ, କବି ବୈଦନାଥ ଖିଲାର, ଉତ୍କଳ ସାହିତ୍ୟ ସଂସଦ ସମ୍ପାଦକ ରାଜୀବ ଷଢ଼ଙ୍ଗୀ, ଅଧ୍ୟାପିକା ସଂଘମିତ୍ରା ଦାସ, ସାହିତ୍ୟିକ ରମାନାଥ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଏହି ଅବସରରେ ସମସ୍ତେ ସମସ୍ତଙ୍କୁ ଅବିର ଲଗାଇ ପ୍ରେମର ପ୍ରତିବିମ୍ବ ସୃଷ୍ଟି କରିଥିଲେ ଅତିଥି ଓ ଛାତ୍ରଛାତ୍ରୀ। ଚୌଦ୍ୱାର ଅଞ୍ଚଳରେ ଯୁବସାହିତ୍ୟିକମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ କଳା, ସଂସ୍କୃତି ଓ ସାହିତ୍ୟର ସମୃଦ୍ଧି ପାଇଁ ଦୀର୍ଘ ୨୦ ଧରି ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ଅଧ୍ୟାପକ ଦୀପକ ବେହେରା ପ୍ରକାଶ କରିଛନ୍ତି।