
ବୁଗୁଡ଼ା,୦୨/୦୩(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ଅନ୍ତରପଡ଼ା ସ୍ଥିତ ମା’ ଶାଙ୍କୁଲାଇ ପୀଠ ଠାରେ ବାଲିପଦର ହାଇସ୍କୁଲର ୧୯୭୯ ମସିହା ମ୍ୟାଟ୍ରିକ ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୭ ବର୍ଷ ପରେ ପରସ୍ପରକୁ ପାଖରେ ପାଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।ଶିବରାମ ସ୍ୱାଇଁ, ଚକ୍ରପାଣି ଖାଡ଼ଙ୍ଗା, ଭଞ୍ଜକିଶୋର ମିଶ୍ର, ଲିଙ୍ଗରାଜ ଆଚାରି ଓ କୃତିବାସ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ସାକାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ରଜନୀକାନ୍ତ ଦଳବେହେରା, ଭାସ୍କର ପାତ୍ର, ମୋଚିରାମ ପାତ୍ର, ରଜନୀକାନ୍ତ ତ୍ରିପାଠୀ ଓ କାଳୁ ଚରଣ ରଥ ପରାମର୍ଶଦାତା ଭାବେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।ସ୍କୁଲ ସ୍ମୃତିରେ ଭାବବିହ୍ୱଳ ପୁରାତନ ଛାତ୍ରଛାତ୍ରୀ କୃତିବାସ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ବନ୍ଧୁ ନିଜ ନିଜର ପରିଚୟ ପ୍ରଦାନ କରିବା ସହ ସ୍କୁଲ ଜୀବନର ଖଟି, ମଜାମଜଲିସ ଓ ଶିକ୍ଷକଙ୍କ ଶାସନ ବିଷୟରେ ଆଲୋଚନା କରି ଭାବବିହ୍ୱଳ ହୋଇପଡ଼ିଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷକମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ଓ ସମାଜ ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ।।ଅବସର ଜୀବନର ଏହି ଅପରାହ୍ନରେ ପିଲାଦିନର ସାଙ୍ଗଙ୍କୁ ଭେଟିବା ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି ମତପ୍ରକାଶ କରିଛନ୍ତି।