
ଭଞ୍ଜନଗର ୦୬/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପ୍ରବାଦ ପୁରୁଷ ଭକ୍ତିପୂତ୍ର ବିଜୁ ପଟ୍ଟନାୟକ ଓଡ଼ିଆ ସ୍ୱାଭିମାନର ଆତ୍ମବୃଦ୍ଧି କରିବାର ଏକ ବଡ଼ ପଦକ୍ଷେପ ନେଇଥିଲେ। ସେ ମହିଳା ସଶକ୍ତିକରଣର ଏକ ସ୍ପଷ୍ଟ କଣ୍ଠସ୍ୱର ଥିଲେ ଏବଂ ମହିଳାମାନଙ୍କର ପ୍ରତିଭାକୁ ମାନ୍ୟତା ଦେବା ପାଇଁ ନିଯୁକ୍ତି ସହିତ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଆରକ୍ଷଣ ପ୍ରବର୍ତ୍ତନ କରିଥିଲେ। ମହିଳା କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ହେତୁ ସେ ନିଷେଧାଜ୍ଞା କଡ଼ାକଡ଼ି କରିବା ଓ ଯୌତୁକ ପ୍ରଥା ନିର୍ମୂଳ କରିବାର କଠୋର ପଦକ୍ଷେପ ନେଇଥିଲେ।
ଜାତୀୟ ସ୍ତରରେ ବିଜୁ ପଟ୍ଟନାୟକ ଏକ ପ୍ରସିଦ୍ଧ ସାଂସଦ ଭାବରେ ପରିଚିତ ହୋଇଥିଲେ। ସେ ଷଷ୍ଠ, ସପ୍ତମ, ଅଷ୍ଟମ ଓ ଏକାଦଶ ଲୋକସଭାର ସଦସ୍ୟ ଥିଲେ ଏବଂ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରୁ ୧୯୭୭-୭୯, ୧୯୮୦-୮୪, ୧୯୮୪-୮୯ ଏବଂ ଆସ୍କା ନିର୍ବାଚନମଣ୍ଡଳୀରୁ ୧୯୯୬-୯୭ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ। ୧୯୭୧ରେ ସେ ରାଜ୍ୟସଭାର ସଦସ୍ୟ ଥିଲେ। ୧୯୯୬-୯୭ରେ ସେ ସଂସଦୀୟ ଅର୍ଥ ସ୍ଥାୟୀ ସମିତିର ଅଧ୍ୟକ୍ଷ ଥିଲେ। ୧୯୭୭-୮୦ ମଧ୍ୟରେ କେନ୍ଦ୍ରୀୟ ଇସ୍ପାତ, ଖଣି ଓ କୋଇଲା ମନ୍ତ୍ରୀ ଭାବରେ ସେ ଦେଶର ଇସ୍ପାତ ଶିଳ୍ପକୁ ନୂତନ ଦିଗ ଓ ଗତିଶୀଳତା ପ୍ରଦାନ କରିଥିଲେ। ଭୂମିପୁତ୍ର ୧୯୯୭ ଏପ୍ରିଲ ୧୭ ତାରିଖରେ ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ।
ବିଜୁ ପଟ୍ଟନାୟକ ଅସାଧାରଣ ସାହସ, କର୍ମ ଓ ସୃଜନଶୀଳତାର ବ୍ୟକ୍ତି ଥିଲେ। ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୪୦ର ଦଶନ୍ଧିରେ ସେ ଉଦ୍ଧାର ଅଭିଯାନ ଚଳାଇ ସେଠାକାର ରାଷ୍ଟ୍ରପତି ସୁକର୍ନୋଙ୍କ ଜୀବନ ରକ୍ଷା କରିଥିବାରୁ ଇଣ୍ଡୋନେସିଆରେ ତାଙ୍କୁ ‘ଭୂମିପୁତ୍ର’ ଭାବରେ ସମ୍ମାନ କରାଯାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୦-୪୨ରେ ସେ ଏୟାର ଟ୍ରାନ୍ସପୋର୍ଟ କମାଣ୍ଡର ନେତୃତ୍ୱ ଦେଇଥିଲେ। ୧୯୪୫ରେ ଯୁଦ୍ଧରତ ସୋଭିଏତ ସୈନ୍ୟଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରଶିଆ ତାଙ୍କୁ ସମ୍ମାନିତ କରିଥିଲା। ୧୯୪୮ରେ ସେ ଶ୍ରୀନଗରରେ ପ୍ରଥମ ପ୍ଲାଟୁନ୍ ସୈନ୍ୟ ଅବତରଣ କରାଇ ପାକିସ୍ତାନୀ ଆକ୍ରମଣକାରୀଙ୍କ ବିରୋଧରେ ଯୁଦ୍ଧ କରାଇଥିଲେ।
ଭାରତର ଯୁବକ ଓ ନୂତନ ପିଢ଼ି ପାଇଁ ଆଦର୍ଶ, ବିଜୁ ପଟ୍ଟନାୟକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ମହାନ ପୃଷ୍ଠପୋଷକ ଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଫାଉଣ୍ଡେସନ୍ ଓ କଳିଙ୍ଗ ପୁରସ୍କାର (ୟୁନେସ୍କୋ ଦ୍ୱାରା ପରିଚାଳିତ) ସମାଜର ଆଧୁନିକୀକରଣ ପାଇଁ ତାଙ୍କର ଦୂରଦୃଷ୍ଟିର ଚିରସ୍ଥାୟୀ ପ୍ରମାଣ। ୧୯୫୧ରେ ପ୍ରତିଷ୍ଠିତ ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରେରଣାର ଉତ୍ସ ହୋଇଛି।
କିମ୍ବଦନ୍ତୀ ବିଜୁ ପଟ୍ଟନାୟକ ଏକ ମହାନ ଆଶାବାଦୀ ଥିଲେ ଏବଂ ଦେଶର ଯୁବକମାନଙ୍କର ଅନନ୍ତ ସମ୍ଭାବନା ଉପରେ ଅଟଳ ବିଶ୍ୱାସ ରଖିଥିଲେ। ସେ ଏକ ସମୃଦ୍ଧ ଓଡିଶା ତଥା ଭାରତର ସ୍ୱପ୍ନ ଦେଖୁଥିଲେ ଯେଉଁଠାରେ ପ୍ରତ୍ୟେକର ବ୍ୟକ୍ତିତ୍ୱ ବିକାଶ ଓ ପୂର୍ଣ୍ଣ ସମ୍ଭାବନା ଉପଭୋଗ କରିବାର ସୁଯୋଗ ରହିବ। ପ୍ରବାଦ ପୁରୁଷ ଭୂମିପୁତ୍ର ଓଡ଼ିଆ ସ୍ୱାଭିମାନର ଆତ୍ମା ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।