ଚୌଦ୍ୱାର ପୋଲିସକୁ ବଦନାମ କରିବାକୁ ହୀନ ପ୍ରୟାସ

ଚୌଦ୍ଵାର (ଶିବବ୍ରତ ଦାସ ): ରଙ୍ଗର ପର୍ବ ହୋଳିରେ ଯେଉଁଠି ଲୋକେ ଭାଇଚାରା ଓ ଆନନ୍ଦରେ ମଗ୍ନ ଥିଲେ, କିନ୍ତୁ ଚୌଦ୍ଵାର ଥାନା ଅନ୍ତର୍ଗତ ତାଳପଦା ଅଞ୍ଚଳରେ ଜଣେ ଯୁବକ ମଦ ନଶାରେ ରଙ୍ଗ ବଦଳରେ ବିୟର ବୋତଲ ଭାଙ୍ଗି ଅଞ୍ଚଳକୁ ଉତ୍ତେଜନାମୟ କରିଦେଇଥିବା ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ହୋଲି ଉପଲକ୍ଷେ ଅତ୍ୟଧିକ ମଦ୍ୟପାନ କରି ନିଶାଗ୍ରସ୍ତ ହୋଇଥିବା ଯୁବକ ଜଣକ ତାଳପଦା ଅଞ୍ଚଳରେ ବିୟର ବୋତଲ ଭାଙ୍ଗି ଉନ୍ମତ୍ତ ଭାବରେ କାଣ୍ଡ ଭିଆଉଥିଲେ। ଏହା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଶେଷରେ ଜଣେ ସଚେତନ ନାଗରିକ ୧୧୨ କୁ ଯୋଗାଯୋଗ କରି ଘଟଣା ବିଷୟରେ ଅଭିଯୋଗ କରିଥିଲେ। ଖବର ପାଇ ଚୌଦ୍ଵାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ଯୁବକଙ୍କୁ ନିୟନ୍ତ୍ରଣରେ ନେଇ ଥାନାକୁ ଆଣିଥିଲେ। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଯୁବକ ଜଣକ ଅତ୍ୟଧିକ ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ଦୁର୍ବ୍ୟବହାର ଉତେଜନା ପରିସ୍ଥିତି ସୃଷ୍ଟି କରୁଥିଲେ ଏବଂ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ତାଙ୍କୁ ଥାନାରେ ବୁଝାସୁଝା କରାଯାଉଥିଲା। ଠିକ୍ ସେହି ସମୟରେ ଅଞ୍ଚଳର ଜଣେ ଛାପା ଗଣମାଧ୍ୟମର ଖବରଦାତା ଥାନାରେ ପହଞ୍ଚି ହଠାତ୍ ସେହି ମଦ୍ୟପ ଯୁବକଙ୍କ “ରକ୍ଷକ” ଭୂମିକା ନେଇ ପୋଲିସ ସହ ଯୁକ୍ତି ବାଢ଼ିବାକୁ ଲାଗିଥିଲେ। ଆଶ୍ଚର୍ଯ୍ୟର କଥା ହେଲା ଯେଉଁଠି ଯୁବକଙ୍କ ନିଜ ବାପା ମଧ୍ୟ ପୁଅର ଭୁଲକୁ ସ୍ୱୀକାର କରୁଥିଲେ, ସେଠି ଏହି ଖବରଦାତା ଜଣକ କେଉଁ ତଥ୍ୟ ଓ କେଉଁ ନୈତିକ ଆଧାରରେ ମଦ୍ୟପ ଯୁବକଙ୍କ ପକ୍ଷରେ ଠିଆ ହେଲେ, ସେଥିପାଇଁ ଅନେକ ପ୍ରଶ୍ନ ଉଠିଛି। ଏପରିକି ଥାନାରେ “ଥାର୍ଡ ଡିଗ୍ରୀ” ଓ “ସମ୍ମାନ ହାନି” ଭଳି ଅଭିଯୋଗର କଥା ଉଠାଇ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି, ୱାର୍ଡ ମେମ୍ବର ଓ ଗ୍ରାମବାସୀ ଥାନାରେ ପହଞ୍ଚି ମଧ୍ୟସ୍ଥତା କରିଥିଲେ ଓ ପରିସ୍ଥିତିକୁ ଶାନ୍ତ କରିଥିବା ଜଣାପଡ଼ିଛି। ପରିବାର ପକ୍ଷରୁ ଯୁବକଙ୍କ ଦୋଷ ସ୍ୱୀକାର କରାଯାଇଥିବା ବେଳେ ଆଗକୁ ଏପରି ଘଟଣା ନହେବା ପାଇଁ ଆହ୍ୱାନ ମଧ୍ୟ କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚୌଦ୍ଵାର ପୋଲିସ ସଦାସର୍ବଦା ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାରେ ପ୍ରୟାସରତ ଥିବା ବେଳେ କିଛି ଅସାମାଜିକ ଖବରଦାତାଙ୍କ ଅବାଞ୍ଛିତ ହସ୍ତକ୍ଷେପ ପରିସ୍ଥିତିକୁ ଅନାବଶ୍ୟକ ଭାବେ ଜଟିଳ କରୁଛି। ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି! ମଦ ନଶାରେ ଅଞ୍ଚଳକୁ ଅସ୍ଥିର କରିଥିବା ଯୁବକଙ୍କ ପକ୍ଷରେ ହଠାତ୍ ଖବରଦାତାଙ୍କ ଏମିତି ସମର୍ଥନ କାହିଁକି? ସମାଜର ଶାନ୍ତି ପାଇଁ କାମ କରୁଥିବା ପୋଲିସଙ୍କୁ ଅନାବଶ୍ୟକ ଭାବେ ବିବାଦରେ ଟାଣିବା ପଛରେ ଅସଲ ଉଦ୍ଦେଶ୍ୟ କ’ଣ? ଏହି ପ୍ରଶ୍ନ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।