ବିଶ୍ୱ ମହିଳା ଦିବସ ବିଶେଷ: ଚୌଦ୍ୱାର ମହିଳା ସଂଘରେ ପ୍ରତୀକ ସାଜିଛି ସ୍ୱଜାଗ୍ରତ ଆଞ୍ଚଳିକ ମହାସଂଘ

ଚୌଦ୍ୱାର (ଶିବବ୍ରତ ଦାସ )ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଏ। ସମାଜର ଅର୍ଥନୈତିକ, ସାମାଜିକ ଓ ସେବାମୂଳକ କ୍ଷେତ୍ରରେ ନାରୀଙ୍କ ଅବଦାନକୁ ସମ୍ମାନ ଦେବାର ଏହି ଦିନଟି ଆଜି ନାରୀଶକ୍ତିର ଉଦୟର ଏକ ପ୍ରତୀକ ହୋଇଉଠିଛି। ପରିବାରର ସୀମା ଛାଡ଼ି ଆଜି ମହିଳାମାନେ ସମାଜ ଗଢ଼ିବାରେ ନିଜ ଶକ୍ତି ଓ ସମର୍ଥ୍ୟର ଉଜ୍ଜ୍ୱଳ ପରିଚୟ ଦେଉଛନ୍ତି। ଏହି ପରିପ୍ରେକ୍ଷିତରେ ଚୌଦ୍ୱାର ଅଞ୍ଚଳର “ସ୍ଵଜାଗ୍ରତ ଆଞ୍ଚଳିକ ମହିଳା ମହାସଂଘ” ଆଜି ନାରୀ ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ଉଭା ହୋଇଛି। ସ୍ଵୟଂ ସହାୟକ ଗୋଷ୍ଠୀ ଭାବେ ଆରମ୍ଭ ହୋଇଥିବା ଏହି ସଂଘ ଆଜି କେବଳ ଆର୍ଥିକ ସ୍ୱାବଲମ୍ବନରେ ସୀମିତ ରହିନାହିଁ, ବରଂ ସମାଜସେବାର ଅନେକ କାର୍ଯ୍ୟରେ ନିଜର ସ୍ଥାନ ତିଆରି କରିପାରିଛି। ସରକାରଙ୍କ ବିଭିନ୍ନ ଯୋଜନା ଓ ସହଯୋଗକୁ ସଦ୍ଉପଯୋଗ କରି ଏହି ଗୋଷ୍ଠୀର ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାରମୁଖୀ କରିପାରୁଛନ୍ତି। ଚୌଦ୍ୱାର ପୌରପାଳିକା ପକ୍ଷରୁ ଟେଣ୍ଡର ମାଧ୍ୟମରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ନିଜ ଅଧିନକୁ ନେଇ ସଫଳତାର ସହ ଚଳାଉଥିବା ସହିତ ସେମାନେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷାରେ ମଧ୍ୟ ଅଗ୍ରଣୀ ଭୂମିକା ନେଉଛନ୍ତି।
ଏଥିରେ ସୀମିତ ନୁହେଁ, ସମାଜସେବାରେ ମଧ୍ୟ ଏହି ସଂଘର ଅବଦାନ ସ୍ମରଣୀୟ। ରକ୍ତର ଅଭାବରେ ଯେତେବେଳେ ଅନେକ ଲୋକ ଜୀବନ ସଂକଟରେ ପଡ଼ନ୍ତି, ସେତେବେଳେ ଏହି ସଂଘର ମହିଳାମାନେ ରକ୍ତଦାନ ଭଳି ମହାନ କାର୍ଯ୍ୟରେ ସାମିଲ ହୋଇ ମାନବିକତାର ଉଦାହରଣ ସୃଷ୍ଟି କରୁଛନ୍ତି। ଦିନ ହେଉ କିମ୍ବା ରାତି, କାହାରି ରକ୍ତ ଆବଶ୍ୟକତା ସମ୍ବନ୍ଧୀୟ ସୂଚନା ମିଳିଲେ ବିଳମ୍ବ ନକରି ସହଯୋଗର ହାତ ବଢ଼ାଇ ଦେବା ସେମାନଙ୍କର ମାନବିକ ମନୋଭାବକୁ ପ୍ରକାଶ କରେ।
ଏହା ସହ ପ୍ରତିବର୍ଷ ଗ୍ରୀଷ୍ମ ଋତୁର ପ୍ରବଳ ତାପକୁ ଦୃଷ୍ଟିରେ ରଖି ଜଳଛତ୍ର ବ୍ୟବସ୍ଥା କରି ବାଟୋଇମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇବା, ସମାଜର ଅବହେଳିତ ଓ ଦୁର୍ବଳ ବର୍ଗର ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ସମୟରେ ସାହାଯ୍ୟର ହାତ ବଢ଼ାଇବା ଭଳି ଅନେକ ସେବାମୂଳକ କାର୍ଯ୍ୟରେ ମଧ୍ୟ ଏହି ସଂଘ ସଦା ସଚେତନ ରହିଛି। ନିଜ ସଂଘବଦ୍ଧ ଶକ୍ତି, ମାନବିକତା ଓ ସମାଜ ପ୍ରତି ଦାୟିତ୍ୱବୋଧ ଦ୍ୱାରା ସ୍ଵଜାଗ୍ରତ ଆଞ୍ଚଳିକ ମହିଳା ମହାସଂଘ ଆଜି ଚୌଦ୍ୱାର ଅଞ୍ଚଳରେ ନାରୀଶକ୍ତିର ଏକ ପ୍ରେରଣାଦାୟକ ପରିଚୟ ହୋଇଉଠିଛି। ସେମାନଙ୍କ ଏହି ଅବଦାନ ପାଇଁ ସ୍ଥାନୀୟ ଲୋକମାନେ ଗର୍ବ ଅନୁଭବ କରୁଥିବା ବେଳେ, ଏହା ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ଏକ ପ୍ରେରଣାର ସ୍ରୋତ ହୋଇ ରହିଛି।
ନିଶ୍ଚୟ ଭାବେ କୁହାଯାଇପାରେ
ନାରୀ କେବଳ ପରିବାରର ଶକ୍ତି ନୁହେଁ, ସମାଜର ଉନ୍ନତିର ମୂଳ ଶକ୍ତି ମଧ୍ୟ ଅଟନ୍ତି।ଏହା ସହିତ ଆଗାମୀ ଦିନରେ ସମସ୍ତ କାର୍ଯ୍ୟକୁ ଅଧିକଭାବେ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ସଙ୍ଘର ସମ୍ପାଦିକା ଝରଣା ନାୟକ ଓ ସଭାପତି ସରଦାଭାରତୀ ନାୟକ।