ସଚେତନତା ଦ୍ୱାରା ବନାଗ୍ନି ରୋକାଯାଇପାରିବ

ଭଞ୍ଜନଗର ୧୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜରେ ଶୁକ୍ରବାର ବନାଗ୍ନି ପ୍ରଶମନ ଓ ପରିଚାଳନା ନିମନ୍ତେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନାଗ୍ନି ସଚେତନତା ବାବଦରେ କହିଥିଲେ। ବିଗତ ଦିନରେ ବିଦ୍ୟୁତ ଆଘାତରେ ଏକାଧିକ ହାତୀ ଏହି ବନଖଣ୍ଡରେ ମୃତ୍ୟୁବରଣ କରିଥିଲେ। ତେଣୁ ଟାଟା ପାୱାର ଏବଂ ସ୍ନେହା ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ ସହାୟତାରେ କରାଯାଉଛି। ମିଳିମିଶି ପ୍ରକୃତିର ସୁରକ୍ଷା କରିବାକୁ ପଡ଼ିବ। ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାପାଇଁ ଡିଏଫଓ ଶ୍ରୀ ମହାନ୍ତି ଉପସ୍ଥିତ ଲୋକଙ୍କୁ ଆହ୍ବାନ କରିଥିଲେ।

ଦିଲ୍ଲୀ, ହରିୟାଣାରେ ଲୋକେ ଫସଲ କାଟିବା ପରେ ନଡ଼ା, ପାଳ ସମେତ ଅନ୍ୟାନ୍ୟ ଜିନିଷକୁ ପୋଡ଼ି ଦେଉଛନ୍ତି। ଏହାଦ୍ବାରା ଦିଲ୍ଲୀରେ ପ୍ରଦୂଷଣ ବହୁ ପରିମାଣର ବଢ଼ିଯାଉଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଲୋକେ ଏହିଭଳି ନିଆଁ ଲଗାଉଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ପାଳ, ନଡ଼ାକୁ ନ ପୋଡ଼ି ତାକୁ ପୋତି ଦିଆଯାଉ। ଏହାଦ୍ବାରା ପରିବେଶ ସୁରକ୍ଷିତ ରହିବା ସହ ଜମିର ଉର୍ବରତା ବଢିବ ବୋଲି ବକ୍ତାମାନେ କହିଥିଲେ। ରେଞ୍ଜର ବିମ୍ବାଧର ସାହୁ ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ତୁରୁମୁ ସରପଞ୍ଚ ଉଷା ରାଣୀ ପ୍ରଧାନ, ଅବସରପ୍ରାପ୍ତ ରେଞ୍ଜର ପ୍ରଶାନ୍ତ ସାହୁ, ବରିଷ୍ଠ ସାମ୍ବାଦିକ ସୁଶାନ୍ତ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ବନପାଳ ଶୁଭସ୍ମିତା ପାତ୍ର ସଭାକୁ ସଂଯୋଜନା କରିଥିବା ବେଳେ ବନରକ୍ଷୀ ଧରିତ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ବନପାଳ ଅମ୍ରିତା ଜେନା, ଅମର ନାୟକ, ଧନୁର୍ଦ୍ଧର ବେହେରା, ଅନୁରାଧା ଦଳବେହେରା, ବର୍ଷା ରାଣୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।