ଭଞ୍ଜନଗର ସହରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଭଞ୍ଜନଗର ୧୯/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ବୈଜ୍ଞାନିକ କାଳଗଣନା ଆଧାରିତ ସୃଷ୍ଟିର ସର୍ଜନା ଦିବସ ତଥା ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ଆଜି ସାରା ଭାରତବର୍ଷ ସମେତ ଭଞ୍ଜନଗର ସହରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ (ବିକ୍ରମ ସମ୍ବତ ୨୦୮୩) ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି।
​ମିଳିତ ଶାଖା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
​ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭଞ୍ଜନଗର ଖଣ୍ଡର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ପ୍ରଭାତ ଶାଖା ଓ କେଶବ ପ୍ରଭାତ ଶାଖାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୁରୁଣା ଜେଲ ପଡ଼ିଆଠାରେ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ:
​ମୁଖ୍ୟ ଅତିଥି: ଘୁମୁସର ଜିଲ୍ଲା ସଂଘ ଚାଳକ ବନମାଳୀ ଗୌଡ଼।
​ମୁଖ୍ୟ ବକ୍ତା: ଗଞ୍ଜାମ ବିଭାଗ ସମ୍ପର୍କ ପ୍ରମୁଖ ସୁନୀଲ କୁମାର ଗୌଡ଼।
​ଅନ୍ୟାନ୍ୟ ପ୍ରମୁଖ: ଧ୍ଵଜା ରୋପଣ କରିଥିଲେ ରାମଚନ୍ଦ୍ର ପଣ୍ଡା ଓ ପରିଚୟ ପ୍ରଦାନ କରିଥିଲେ ଜିଲ୍ଲା ଶାରୀରିକ ପ୍ରମୁଖ କବିରାଜ ପ୍ରଧାନ।
​ମୁଖ୍ୟ ବକ୍ତା ସୁନୀଲ ଗୌଡ଼ ହିନ୍ଦୁ ନବବର୍ଷର ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରଦୀପ କୁମାର ଆଚାର୍ଯ୍ୟ ବ୍ୟକ୍ତିଗତ ଗୀତ ଗାନ କରିଥିବା ବେଳେ ସୁବାସ ଚନ୍ଦ୍ର ପ୍ରଧାନ ଅମୃତ ବଚନ ପାଠ କରିଥିଲେ। ମୁଖ୍ୟ ଶିକ୍ଷକ ଭାବେ ସନ୍ତୋଷ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
​ସହର ପରିକ୍ରମା କଲା ଭବ୍ୟ ବାଇକ୍ ଶୋଭାଯାତ୍ରା
​ନବବର୍ଷର ଶୁଭେଚ୍ଛା ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ପୁରୁଣା ଜେଲ୍ ନିକଟସ୍ଥ ମହାବୀର ହନୁମାନ ମନ୍ଦିର ଠାରୁ ବାହାରି ଷ୍ଟେଟ୍ ବ୍ୟାଙ୍କ, ଭେଜିପୁଟ, ବାଇପାସ୍, ଲଣ୍ଡେଇସାହି, ରଘୁନାଥ ମନ୍ଦିର, ବାଉଁଶଲୁଣ୍ଡି ପଞ୍ଚାୟତ ଓ ବ୍ଳକ୍ ଛକ ଦେଇ ଜାମପଲି ଗ୍ରାମ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।
ଏହି ଶୋଭାଯାତ୍ରାରେ ବିଶ୍ବହିନ୍ଦୁ ପରିଷଦର ପୁର୍ବପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀଧର ପଣ୍ଡା, ଜିଲ୍ଲା ସମ୍ପାଦକ ବଟକୃଷ୍ଣ ପଣ୍ଡା, ବିଜେପି ଜିଲ୍ଲା ସଭାପତି ନିଳମାଧବ ପାତ୍ର, ମାନସ ଜେନା, କୁବେର ପ୍ରଧାନ, ଶିବ ପ୍ରସାଦ ମହାପାତ୍ର ଏବଂ ଶୁଳପାଣି ଶତପଥୀ ସମେତ ଶହ ଶହ ସ୍ୱୟଂସେବକ ଓ ଜନସାଧାରଣ ସାମିଲ ହୋଇଥିଲେ। ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠାପର ସହଯୋଗ ଯୋଗୁଁ ଏହି ରାଷ୍ଟ୍ରୀୟ ପର୍ବ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି।