ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବିପତ୍ର।

ଚୌଦ୍ୱାର (ଶିବବ୍ରତ ଦାସ )ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଛକଠାରୁ ଗୋବିନ୍ଦପୁର୍ ଛକ ପର୍ଯ୍ୟନ୍ତ ଦୃଶ୍ୟ ଏବେ ଚିନ୍ତାଜନକ ରୂପ ନେଇଛି। ପ୍ରତିଦିନ ବେଆଇନ ପାର୍କିଂ ରାସ୍ତାକୁ ସଙ୍କୀର୍ଣ୍ଣ କରି ଦୁର୍ଘଟଣାକୁ ଆମନ୍ତ୍ରଣ ଦେଉଛି। ତଥାପି ଏହା ଉପରେ ନିୟନ୍ତ୍ରଣ କରିବାରେ ପ୍ରଶାସନର ନିଷ୍କ୍ରିୟତା ସ୍ପଷ୍ଟ ହେଉଛି। ମଙ୍ଗୁଳି ଅଞ୍ଚଳରେ କିଛି ହୋଟେଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ, ସେଠାରେ ଚଢ଼ା ଦରରେ ବେଆଇନ ମଦ ବ୍ୟବସାୟ ଚାଲୁଛି ଯାହା ଫଳରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବା ଅଭିଯୋଗ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷକୁ ବଢ଼ାଇଛି। ଏହା କେବଳ ଆଇନ ଉଲଂଘନ ନୁହେଁ, ବରଂ ସମାଜିକ ସୁରକ୍ଷା ପାଇଁ ଗୁରୁତର ଆଶଙ୍କା ସୃଷ୍ଟି କରୁଛି। ସେହିପରି ପଶୁପତି ଗଡ଼ାରେ ସାଧାରଣ ଲୋକ, ବିଶେଷକରି ସାଇକେଲ ଓ ମୋଟରସାଇକେଲ ଚାଳକମାନେ ରାସ୍ତା ପାର ହେବାପାଇଁ ଭୟ ଅନୁଭବ କରୁଛନ୍ତି। ଯଥୋଚିତ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାର ଅଭାବ ହେତୁ ଏଠାରେ ପ୍ରତିଦିନ ଜୀବନକୁ ବାଜିରେ ଲଗାଇବାକୁ ପଡୁଛି। ଏହି ଗୁରୁତର ସମସ୍ୟାଗୁଡିକୁ ନେଇ ଟାଙ୍ଗୀ-ଚୌଦ୍ଵାର ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଟାଙ୍ଗୀ ଥାନା ଅଧିକାରୀ ବିକାଶ କୁମାର ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳଙ୍କ ସହ ସୁକାନ୍ତ ପଢ଼ିଆରି, କାଳନ୍ଦୀ ସାହୁ, ସଞ୍ଜୟ ସ୍ୱାଇଁ, ତ୍ରିନାଥ ମଲିକ, କୃଷ୍ଣଚନ୍ଦ୍ର ସ୍ୱାଇଁ, କାଳିଆ ବରାଳ, ଅମୂଲ୍ୟ ମାଝୀ ଓ ଏସ୍.କେ ଯାଭେଦ୍ ଓ ଅନ୍ୟମାନେ ଉପସ୍ଥିତ ରହି ତ୍ୱରିତ ତଦନ୍ତ ସହ କଠୋର କାର୍ଯ୍ୟଗ୍ରହଣ ପାଇଁ ନିବେଦନ କରିଛନ୍ତି। ଉପସ୍ଥିତ ବ୍ୟକ୍ତି ସ୍ପଷ୍ଟ କରିଛନ୍ତି ଯଦି ଏବେ ମଧ୍ୟ ପ୍ରଶାସନ ଜାଗ୍ରତ ନ ହୁଏ, ତେବେ ଏହି ଅନିୟମ ଆଗାମୀ ଦିନରେ ବଡ଼ ବିପଦକୁ ଆମନ୍ତ୍ରଣ ଦେବ। ଅନ୍ୟପକ୍ଷରେ ଟାଙ୍ଗୀ ଥାନା ଅଧିକାରୀ ବିକାଶ କୁମାର ସେଠୀ ଏହି ସମସ୍ୟା ଉପରେ ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶ୍ୱାସନ ଦେଇଛନ୍ତି। ସାଧାରଣ ଲୋକଙ୍କ ଆଶା! ତ୍ୱରିତ କାର୍ଯ୍ୟଗ୍ରହଣ ମାଧ୍ୟମରେ ରାଜପଥରେ ଶୃଙ୍ଖଳା ଫେରିବ ଓ ଅଞ୍ଚଳରେ ସୁରକ୍ଷିତ ପରିବେଶ ସ୍ଥାପିତ ହେବ।