
ଚୌଦ୍ଵାର (ଶିବବ୍ରତ ଦାସ ): ଚୌଦ୍ଵାର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଯାତାୟାତ ବ୍ୟାହତ ହେବାରୁ ଡ଼ହଡହ ଖରାରେ ଶତାଧିକ ଲୋକ ଅସହ୍ୟ ଯନ୍ତ୍ରଣା ଭୋଗ କରିଥିଲେ। ସ୍ଥାନୀୟ ଇମ୍ଫା କମ୍ପାନୀକୁ ଯାଉଥିବା ଟ୍ରେନ ଦୀର୍ଘ ସମୟ ଧରି ରାଜପଥ ଉପରେ ଠିଆ ହୋଇ ରହିଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ଏହାର ପରିଣାମରେ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ୍, ବସ୍, ମୋଟରସାଇକେଲ ଓ ସାଇକେଲର ଲମ୍ବା ଲାଇନ୍ ଲାଗିଥିଲା। ଏହି ଜାମରେ ବୟସ୍କ ବୃଦ୍ଧ ବୃଦ୍ଧାମାନେ ମଧ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିବା ଦେଖାଯାଇଥିଲା।
ସବୁଠୁ ଚିନ୍ତାଜନକ ଘଟଣା ହେଲା, ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସମାନେ ମଧ୍ୟ ଏହି ଜାମରେ ଅଟକି ପଡ଼ିଥିଲେ। କିଛି ଆମ୍ବୁଲାନ୍ସରେ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳା ଯନ୍ତ୍ରଣା ଭୋଗ କରୁଥିବା ଦେଖାଯାଇଥିଲା, ଯାହା ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟମାନଙ୍କ କହିବା ଅନୁସାରେ, ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ନିର୍ମିତ ଓଭର୍ ବ୍ରିଜ ଥିବା ସତ୍ତ୍ୱେ ଏପରି ସମସ୍ୟା ଘଟୁଥିବାରୁ ଏହାର ଉଦ୍ଦେଶ୍ୟ ଓ ପ୍ରୟୋଜନୀୟତା ନେଇ ପ୍ରଶ୍ନ ଉଠୁଛି।
ଏହି ଘଟଣାକୁ କେନ୍ଦ୍ର କରି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ, ଯଦି ଏପରି ପରିସ୍ଥିତିରେ କୌଣସି ଅଘଟଣ ଘଟେ, ତେବେ ଏହା ପାଇଁ କିଏ ଦାୟୀ ରହିବ—କମ୍ପାନୀ କି ପ୍ରଶାସନ?
ଏହା ସହିତ ଇମ୍ଫା କମ୍ପାନୀର ମନମାନି ଓ ପ୍ରଶାସନର ନିରବତାକୁ ନେଇ ସ୍ଥାନୀୟମାନଙ୍କ ମଧ୍ୟରେ କ୍ଷୋଭ ବୃଦ୍ଧି ପାଉଛି। ଜନସାଧାରଣଙ୍କୁ ଅସୁବିଧାରେ ପକାଇ କମ୍ପାନୀ ସହିତ ସମନ୍ୱୟ ରଖାଯାଉଛି କି ନାହିଁ ବୋଲି ମଧ୍ୟ ସନ୍ଦେହ ପ୍ରକାଶ ପାଉଛି।
ଅନ୍ୟପକ୍ଷରେ, ଅଞ୍ଚଳର ବିଧାୟକ ସୌଭିକ ବିଶ୍ୱାଳ ଓ କଟକ ସାଂସଦ ଭର୍ତୃହରି ମହତାବଙ୍କ ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏହି ସମସ୍ୟା ନେଇ ସେମାନେ କେବେ ସ୍ପଷ୍ଟ ମତ ପ୍ରକାଶ କରିବେ, ତାହାକୁ ନେଇ ଲୋକମାନେ ଅପେକ୍ଷାରେ ଅଛନ୍ତି।