ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀ ଗଲା ୨୯ ଖଣ୍ଡ ରଥ କାଠ

ଭଞ୍ଜନଗର ୨୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀ ରଥ ଖଳାକୁ ପଠାଯାଇଛି। ତାରସିଂ ରେଞ୍ଜର କଦଳିଗଡ ଜଙ୍ଗଲରେ ପୂର୍ବରୁ କଟାଯାଇଥିବା ୨୯ ଟି ଢଉରା ଗଛକୁ ସୋମବାର ସକାଳେ ଶ୍ରୀ ମନ୍ଦିର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଦୁଇଟି ସତନ୍ତ୍ର ଭାରି ଯାନ ଯୋଗେ ରଥ କାଠକୁ ପୁରୀ ଅଭିମୂଖେ ପଠାଯାଇଛି। ରଥକାଠ ଯିବା ସମୟେରେ ରାସ୍ତାର ବିଭିନ ଭିନ୍ନ ସ୍ଥାନରେ ଶହ ଶହ ପୁରୁଷ ଓ ମହିଳା ଢୋଲ, ମୃଦଙ୍ଗ, ଝାଞ୍ଜ ବଜାଇ ରଥକାଠକୁ ପୂଜାର୍ଚ୍ଚନା କରିଥିଲେ।

ଗତ କିଛି ବର୍ଷ ହେବ ପୁରୀ ରଥଯାତ୍ରା ପାଇଁ ଆବଶ୍ୟକ ହେଉଥିବା ରଥକାଠ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ସ୍ଥାନରୁ ପଠାଯାଉଛି। ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଏହି ବନଖଣ୍ଡରୁ ୧୦୨ ଟି ଗଛ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ତାରସିଂ ବନାଞ୍ଚଳ ଅଧିନ ଘୋଗଡ଼ ଜଙ୍ଗଲରୁ କଟା ଯାଇଥିବା ୨୯ ଟି ଢଉରା ଗଛକୁ ସୋମବାର ଶ୍ରୀମନ୍ଦିର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଦୁଇଟି ଟ୍ରକ୍ ଯୋଗେ ପୁରୀ ରଥ ଖଳା ଅଭିମୂଖେ ପଠାଯାଇଛି। ରଥକାଠ ଯିବା ସମୟରେ ଘୋଗଡ,ଋଢାପଦର ସମେତ ବିଭିନ୍ନ ସ୍ଥାନରେ ଶହ ଶହ ମହିଳା ଓ ପୁରୁଷ ରଥକାଠକୁ ବନ୍ଦାପନା କରିଥିଲେ। ଜୟ ଜଗନ୍ନାଥ ଧ୍ଵନୀରେ ସ୍ଥାନୀୟ ଇଲାକା ପ୍ରକମ୍ପିତ ହୋଇ ଉଠିଥିଲା।ରଥକାଠ ପୂଜାର୍ଚ୍ଚନା ସମୟରେ ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍ ବିମଳ ଚନ୍ଦ୍ର ପ୍ରଧାନ,ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ବନପାଳ,ବନରକ୍ଷୀ ଓ ବନବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଦିନରେ ଆଉ ବଳକା ରଥକାଠକୁ ପୁରୀ ରଥ ଖଳାକୁ ପଠାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।