
ଭଞ୍ଜନଗର,୨୩/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଆସନ୍ତା ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଜନଗଣନା ନେଇ ଆଜି ତାଲିମ ଶିବର ଅନୁଷ୍ଠିତ ହୋଇଛି। ଜନଗଣନା ଅଧିକାରୀ ଦାୟିତ୍ବରେ ଥିବା ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ପୌରହିତ୍ୟରେ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜନଗଣନାରେ ସାମିଲ ହେବାକୁ ଥିବା ଗଣନାକାରୀ କିଭଳି ଘର ଗଣନା କରିବେ ଏବଂ ଘରକୁ ଘର ବୁଲି ଲୋକଙ୍କ ଠାରୁ ବିିଭିନ୍ନ ତଥ୍ୟ ସଂଗ୍ରହ କରିବେ ସେ ସଂର୍ପକରେ ଜନଗଣନାକାରୀ ଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ପୂର୍ବରୁ ହୋଇଥିବା ଘର ମ୍ୟାପିଂ ଅନୁସାରେ ଭଞ୍ଜନଗର ତହସିଲ ଅଧିନରେ ଜନଗଣନାରେ ସାମିଲ ହେବା ପାଇଁ ଗଣନାକାରୀ ଓ ସୁପରଭାଇଜରଙ୍କୁ ମିଶାଇ ୩୦୦ ଜଣଙ୍କୁ ଦାୟିତ୍ବ ଦିଆଯିବ। ତେଣୁ ପ୍ରତିଦିନ ୧୦୦ ଜଣ ଲେଖାଏଁ ଗଣନାକାରୀଙ୍କୁ ୩ ଦିନ ଯାଏଁ ଏଭଳି ମୋଟ ୯ ଦିନ ଯାଏଁ ତାଲିମ ଦିଆଯିବ ବୋଲି ଜଣାପଡିଛି। ସେହିଭଳି ମୁନସିପାଲଟିରେ ଜନଗଣନା ଅଧିକାରୀ ଦାୟିତ୍ବରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡାଙ୍କ ପୌରହିତ୍ୟରେ କାର୍ଯ୍ୟାଳୟ ପରିସରରେ ଗଣନାକାରୀ ଓ ସୁପରଭାଇଜରଙ୍କୁ ମିଶାଇ ଆଗାମୀ ୯ ଦିନରେ ୧୦୪ ଜଣଙ୍କୁ ତାଲିମ ଦିଆଯିବା ବ୍ୟବସ୍ଥା କରାଯାଇଛି। ତହସିଲ ପକ୍ଷରୁ ଅତିରିକ୍ତ ତହସିଲଦାର ଅବିନାଶ ମାହାର,ରାଜସ୍ବ ସୁପରଭାଇଜର ତ୍ରିଲୋଚନ ବିଶ୍ବାଳ,ବିଇଓ ଲୋପାମୁଦ୍ରା ରଥ ତାଲିମ ଦେଉଥିବା ବେଳେ ସହରାଞ୍ଚଳ ପାଇଁ ଏନ୍ ଅରୁଣ କୁମାର ଓ ଶୁଭମ ପାଢୀ ତାଲିମ ପ୍ରଦାନ କରୁଛନ୍ତି। ଏସମସ୍ତ କାର୍ଯ୍ୟକ୍ରମକୁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଓ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା ପରିଦର୍ଶନ କରିବା ସହ ତଦାରଖ କରିଥିଲେ। ଏହି ଗଣାନା ଆସନ୍ତା ଏପ୍ରିଲ ୧ତାରିଖ ଠାରୁ ଗଣନାକାରୀ ମାନେ ପ୍ରଥମେ ଗଣାନ କରିବା ପରେ ଏପ୍ରିଲ ୧୬ ତାରିଖରୁ ମେ ୧୫ ତାରିଖ ଯାଏଁ ଘରକୁ ଘର ଯାଇ ଗଣନା କରିବେ ବୋଲି ଜଣାପଡିଛି।