
ଭଞ୍ଜନଗର,୨୩/୩:(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଆଉ କିଛି ଦିନ ପରେ ଆରମ୍ଭ ହେବ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବାବେଗ ସହ ଜଡିତ ପର୍ବ ଦଣ୍ଡଯାତ୍ରା। ଏହି ଯାତ୍ରା ସମୟରେ ପାରମ୍ପରିକ ରୀତିନୀତି ସହ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ଏଥିରେ ପାରମ୍ପରିକ,ପାଣ୍ଡୁଲିପି,ରାମାୟଣ,ମହାଭାରତ ଭଳି ପାରମ୍ପରିକ ନୃତ୍ୟ ନାଟିକା ପରିବେଷଣ ହେଉଥିବା ବେଳେ ବର୍ତ୍ତମାନ ଏହି ପୌରାଣିକ ପରମ୍ପରାରେ ଆଧୁନିକତା ପ୍ରବେଶ କରିଥିବାରୁ ମନୋରଞ୍ଜନ ଧାରା ବଦଳି ଯାଇଛି। ବର୍ତ୍ତମାନ ପାଶ୍ଚାତ୍ୟ କଳାର ଛିଟା ଦେଖିବାକୁ ମିଳୁଛି। ବିଶେଷ କରି ଗତ କିଛି ବର୍ଷ ହେଲା ଅଶ୍ଳିଳତାକୁ କିଛି ସ୍ଥାନରେ ପ୍ରାଧ୍ୟାନ୍ୟ ଦିଆ ଯାଉଥିବାରୁ ପାରମ୍ପରିକ ସଂସ୍କୃତି ବିପଥଗାମୀ ହେବା ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିବା ବେଳେ ଚଳିତ ବର୍ଷ ଯେଭଳି ଅଶ୍ଲିଳତାକୁ ଏହି ଯାତ୍ରାରେ ସଂପୂର୍ଣ୍ଣ ବାଦ ଦିଆଯିବ ଏବଂ ଆଇନଶୃଙ୍ଖଳା ପ୍ରତି ସମସ୍ତ ଦଣ୍ଡଯାତ୍ରା କମିଟି ସଚେତନ ହୋଇ ଯାତ୍ରାକୁ ଅନୁଷ୍ଠିତ କରିବେ ସେନେଇ ଆଜି ଭଞ୍ଜନଗର ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଗ୍ରାମର ଯାତ୍ରା କମିଟି ଅଧିକାରୀଙ୍କୁ ଆଜି ବୈଠକକୁ ଡକାଯାଇ ଦଣ୍ଡଯାତ୍ରା ସମୟରେ ଅଶ୍ଳିଳତାକୁ ଯେଭଳି ପ୍ରଶୟ ଦିଆଯିବ ନାହିଁ ଏବଂ କୌଣସି ଅପ୍ରତିକର ପରିସ୍ଥିତି ଉପୁଜିଲେ ତୁରନ୍ତ ଥାନାକୁ ଜଣାଇବା ସହ ଆଇନକୁ ହାତକୁ ନନେବାକୁ ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ଦଣ୍ଡଯାତ୍ରା ସମ୍ପାଦନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏଥିରେ ଏସ୍ଆଇ ଜ୍ୟୋତ୍ସାମୟୀ ସାହୁ,ଏଏସ୍ଆଇ ବିଦେଶୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ୨୦ରୁ ଉର୍ଦ୍ଧ ଦଣ୍ଡଯାତ୍ରା କମିଟି ଉପସ୍ଥିତ ରହିଥିଲେ।