
ଜଗନ୍ନାଥ ପ୍ରସାଦ ୨୭/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଯୁଦ୍ଧ ପ୍ରଭାବରେ ବ୍ୟବସାୟିକ ଜାଳେଣି ଗ୍ୟାସ ବନ୍ଦ ହୋଇଯାଇଥିବା କାରଣରୁ ଘରୋଇ ଜାଳେଣି ଗ୍ୟାସ ମଧ୍ୟ ସଠିକ ଭାବେ ଗ୍ରାହକ ଙ୍କୁ ମିଳୁନଥିବା ବେଳେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ମଧ୍ୟ ଏହାର ସିଧାଶଳଖ ପ୍ରଭାବ ପଡିଛି । ସରକାରଙ୍କ ପକ୍ଷରୁ ଗ୍ୟାସ ଜାଳେଣି ର ବ୍ୟବହାର କୁ ବ୍ୟାପକ କରିବା ପାଇଁ ଗ୍ରାହକଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଇଛନ୍ତି । ଏବେ ହଠାତ ଗ୍ୟାସ ର ଅଭାବ କାରଣରୁ ପୁଣି କିଂକର୍ତବ୍ୟ ମୁଢ ହୋଇ କାଠ ଚୁଲି ଓ କାଠର ବ୍ୟବହାର କୁ ଫେରୁଛନ୍ତି । ଗାଁ ଗଣ୍ଡାରେ ମଧ୍ୟ କାଠ ଖୋଜା ପଡ଼ିଲାଣି । ବଢ଼ିଲାଣି କାଠର ଚାହିଦା । ପୂର୍ବରୁ ଜଙ୍ଗଲରୁ କାଠ ଆଣି ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନେ ପୁଣି ସକ୍ରିୟ ହେବା ନଜରକୁ ଆସିଲାଣି । ଜଙ୍ଗଲ ମଧ୍ୟକୁ ପୁଣି କାତି କୁରାଢ଼ୀ ପଶିଲାଣି । ତୁରନ୍ତ ଗ୍ୟାସ ସମସ୍ୟା ଦୂର ନହେଲେ ଜଙ୍ଗଲ ପ୍ରଭାବିତ ହେବ ଏଥିରେ ଦ୍ବିମତ ନାହିଁ । ବନ ବିଭାଗ ଏଥିପ୍ରତି ମଧ୍ୟ ନଜର ଦେବାର ଆବଶ୍ୟକତା ରହିଛି ।