ଓସିଏ ଅମ୍ପାୟରିଂରେ ସାମିଲ ହେଲେ ଆଶିଷ ରାଉତ

ଚୌଦ୍ୱାର(ଶିବବ୍ରତ ଦାସ ): କ୍ରିକେଟ ଖେଳକୁ ରାଜ୍ୟରେ ପ୍ରସାର କରାଇବାର ମୁଖ୍ୟ ଦାୟିତ୍ୱ ନେଇଥିବା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ପାନେଲିଷ୍ଟ ଅମ୍ପାୟର ଭାବେ ଚୌଦ୍ୱାର ଅଞ୍ଚଳର ଆଶିଷ ରାଉତ ମନୋନିତ ହୋଇଛନ୍ତି। ସେ ଓସିଏ ଅମ୍ପାୟାରିଂ ସେମିନାର ୨୦୨୫-୨୬ରେ ଉତୀର୍ଣ୍ଣ ହୋଇ କଟକ ଜିଲ୍ଲା ତଥା ଚୌଦ୍ୱାର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ୨୦୨୫ ମସିହା ଜୁନ ମାସରେ ଏଥିପାଇଁ ଓସିଏ ଏକ ପରୀକ୍ଷାର ଆୟୋଜନ କରିଥିବାବେଳେ ସାରା ଓଡ଼ିଶାରୁ ୩୫ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିଲେ। ତେବେ ଏହି ପାନେଲିଷ୍ଟ ପାଇଁ ୩ଟି ସୋପାନରେ ପରୀକ୍ଷା ହୋଇଥିଲା। ପ୍ରଥମେ ଲିଖିତ ପରୀକ୍ଷା ହୋଇଥିବାବେଳେ ଦ୍ୱିତୀୟରେ ଭାଇବା ଓ ତୃତୀୟରେ ପ୍ରାଟିକାଲ ପରୀକ୍ଷା କରାଯାଇଥିଲା। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ୧୫୦ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବାବେଳେ ଆଶିଷ ୬୭ ପ୍ରତିଶତ ନମ୍ବର ରଖି ୨୧ତମ ସ୍ଥାନ ହାସଲ କରିଥିଲେ। ଆଗାମୀ ଦିନରେ ଓସିଏ ଦ୍ୱାରା ପରିଚାଳିତ ଅଣ୍ଡର ୧୬ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଅମ୍ପାୟାରିଂ କରିବାର ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। କଟକ ଜିଲ୍ଲା ଚୌଦ୍ୱାର ଓଟିଏମ କଲୋନୀ ୱାର୍ଡ଼ ନମ୍ବର ୧୧ର ବାସିନ୍ଦା କ୍ଷୀରୋଦ ରାଉତଙ୍କ ପୁଅ ଆଶିଷ ପିଲାଟି ଦିନରୁ କ୍ରିକେଟ ଖେଳ ପାଇଁ ରୁଚି ରଖିଥିଲେ। ଏପରିକି ବୟସ ବଢ଼ିବା ସାଙ୍ଗକୁ ସେ ଭଲ କ୍ରିକେଟର ଭାବେ ଅଞ୍ଚଳରେ ବେଶ ପରିଚିତ ହୋଇପାରିଥିଲେ। ସେ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ କଟକ ଜିଲ୍ଲା ପାଇଁ କ୍ରିକେଟ ଖେଳି ବେଶ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ବିଶେଷ କରି ଚୌଦ୍ୱାର ଆମ୍ବିସନ କ୍ଲବ ପକ୍ଷରୁ ଆଶିଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଶୁଭେଚ୍ଛା ଅର୍ପଣ କରାଯାଇଛି। ଏଥିସହିତ ଯୁବ ସଂଗଠକ ଅମୁଲ୍ୟ ରାଉତରାୟ, ବିଜେପି ନେତା ଜ୍ଞାନେନ୍ଦ୍ର ସ୍ୱାଇଁ, ବରିଷ୍ଟ ସାମ୍ବାଦିକ ସତ୍ୟବ୍ରତ ଦାସ ଏବଂ ରାଜ୍ୟ ମାନବାଧିକାର ପରିଷଦର ସଭାନେତ୍ରୀ ସସ୍ମିତା ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।