
ଭଞ୍ଜନଗର ୩୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଆଜକୁ ୧୬ ବର୍ଷ ହେବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ ଚାଲିଛି। ବିଦ୍ୟାଳୟ ଖୋଲିବାର ୧୬ ବର୍ଷ ବିତିଗଲାଣି କିନ୍ତୁ ସ୍ଥାୟୀ କୋଠା ହୋଇପାରୁନଥିଲା। ଯୁକ୍ତ ୨ ମଧ୍ଯ ଖୋଲି ପାରୁନଥିଲା। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ଭରି ରହିଥିଲା । ଗତବର୍ଷ ଅଧକ୍ଷ ଭାବେ ଯୋଗ ଦେଇଥିବା ପ୍ରଦୀପ କମାନୁଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟର ଅନେକ କିଛି ଉନ୍ନତି ଧିରେ ଧିରେ ହେଉଛି। ଅଧକ୍ଷ କମାନୁ ଙ୍କ ପ୍ରଚେଷ୍ଟା ଏବଂ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ କେ ଏସ ୟୁ ବି କଲେଜ ଅଧ୍ୟକ୍ଷଙ୍କ ସହଯୋଗରେ ୨୦୨୬-୨୭ ଶିକ୍ଷା ବର୍ଷରେ ଯୁକ୍ତ ୨ ବିଜ୍ଞାନ ଖୋଲିବାକୁ ଯାଉଛି। ଇତିମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦିଲ୍ଲୀ ପକ୍ଷରୁ ଯୁକ୍ତ ୨ ଖୋଲିବା ପାଇଁ ୭ ଜଣ ପିଜିଟି ଶିକ୍ଷକ ପଦବୀକୁ ଅନୁମୋଦନ ଦେଇଛନ୍ତି । ଖୁବ୍ ଶିଘ୍ର ଉକ୍ତ ନୂତନ ଶିକ୍ଷକ ମାନେ କାର୍ଯ୍ୟରେ ଯୋଗଦେବେ। ସେଗୁଡ଼ିକ ହେଲା (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ଇଂରାଜୀ ଓ ହିନ୍ଦୀ) । ବିଦ୍ୟାଳୟ ସ୍ଥାପିତ ହେବାର ୧୬ ବର୍ଷ ପରେ ଏଠାରେ ପ୍ରଥମ ଥର ପାଇଁ ଯୁକ୍ତ ୨ ରେ ନାମ ଲେଖା ହେବ। ଯାହାକୁ ନେଇ ଅଭିଭାବକ ଏବଂ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ଅଭିଭାବକ ମାନେ ବିଧାୟକ, ଉପ ଜିଲ୍ଲାପାଳ ଏବଂ ଅଧକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ଇତିମଧ୍ୟରେ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୩୩ କୋଟି ୧୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ତାହାର ଟେଣ୍ଡର ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ ହେବ। ୨୦୨୮ ଶିକ୍ଷା ବର୍ଷରୁ ସ୍ଥାୟୀ କୋଠାରେ ଶିକ୍ଷାଦାନ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗ୍ରହ ଯୋଗୁଁ ମଧ୍ଯ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ବିକାଶ ବହୁବର୍ଷ ପରେ ହେଉଛି । ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତର ୧୦ ଦିନ ମଧ୍ୟରେ ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନ ପାଇଁ ନାମ ଲେଖା ଆରମ୍ଭ ହେବ। ପ୍ରଥମେ ଏଠାରେ ନିଜ
ବିଦ୍ୟାଳୟରେ ପଢୁଥିବା ଛାତ୍ରୀ ଛାତ୍ର ଙ୍କୁ ମେରିଟ୍ ଲିଷ୍ଟ ଅନୁସାରେ ନାମ ଲେଖାପାଇଁ ସୁଯୋଗ ମିଳିବ। ବଳକା ସିଟ୍ ରହିଲେ ବାହାର ଛାତ୍ରୀ ଛାତ୍ରଙ୍କୁ ସରକାରଙ୍କ ନିତୀ ନିୟମ ଅନୁଯାୟୀ ନାମ ଲେଖାର ସୁଯୋଗ ଦିଆଯିବ। ଏହି ଖବର ଜଣାପଡିବା ପରେ ଭଞ୍ଜନଗର ବାସୀଙ୍କ ପାଇଁ ତାହା ଖୁସି ଓ ଗର୍ବର ବିଷୟ ହୋଇପଡ଼ିଛି।