ଏପ୍ରିଲ ୨ରୁ ୫ ଖଡ଼ିଛୁଆଁ ଉତ୍ସବ

ଭଞ୍ଜନଗର ୩୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଏପ୍ରିଲ ୨ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଖଡ଼ି ଛୁଆଁ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।ବଡକୋଦଣ୍ଡା ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା, ପ୍ରାକ୍ତନ ସିଆରସିସି ମୋହନ ସାହୁ, ବଡକୋଦଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ ସୁଧାଂଶୁ ଶେଖର ବେହେରାଙ୍କ ନେତୃତ୍ବରେ ବିଭାଗୀୟ କର୍ମକର୍ତ୍ତା ଓ ଶିକ୍ଷକ-ଶିକ୍ଷୟିତ୍ରୀ ଘରକୁ ଘର ବୁଲି ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍ତି। ନୂତନ ଶିକ୍ଷା ବର୍ଷରେ ପିଲାଙ୍କ ନାମଲେଖାକୁ ତ୍ବରାନ୍ବିତ କରିବା ଏବଂ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି ଘରକୁ ଘଲ ସମ୍ପର୍କ ଅଭିଯାନ ହାତକୁ ନିଆଯାଇଛି ।

୫ ତାରିଖ ପର୍ଯ୍ୟନ୍ତ ଖଡ଼ିଛୁଆଁ ଉତ୍ସବ ପାଳନ କରାଯିବ। ୫ରୁ ୬ ବର୍ଷ ବୟସର ପିଲାଙ୍କୁ ଶିଶୁ ବାଟିକାରେ ଓ ୬ ବର୍ଷର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯିବ। ଓଡ଼ିଶା ଶିକ୍ଷା ସର୍ବେକ୍ଷଣ ଆଧାରରେ ଏହି ନାମଲେଖା ପ୍ରକ୍ରିୟା ସମ୍ପନ୍ନ ହେବ। ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରି-ସ୍କୁଲରୁ ତଥ୍ୟ ସଂଗ୍ରହ କରାଯାଇଛି। ପାରମ୍ପରିକ ରାତିନୀତି ଅନୁସାରେ ପିଲାମାନେ ଖଡ଼ି ଛୁଇଁ ପାଠପଢ଼ାର ଆରମ୍ଭ କରିବେ । ବିଦ୍ୟାଳୟରେ ଫୁଲ, ଚନ୍ଦନ ଓ ଚନ୍ଦନ ଟିକା ଦେଇ ପିଲାଙ୍କୁ ସ୍ବାଗତ କରାଯିବା ସହ ଶିକ୍ଷା କିଟ୍ ବଣ୍ଟନ କରାଯିବ । ଏଥିସହ ‘ଆସ ସ୍କୁଲ ଯିବା ଅଭିଯାନ’ ମାଧ୍ଯମରେ ବିଦ୍ୟାଳୟ ବାହାରେ ଥିବା ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷା ପ୍ରଣାଳୀରେ ସାମିଲ କରାଯାଇଛି। ପ୍ରତ୍ୟେକ ଘରେ ପହଞ୍ଚି ଅଭିଭାବକଙ୍କୁ ସଚେତନ କରିବା ଓ ପିଲାଙ୍କୁ ବିଦ୍ୟାଳଯମୁଖୀ କରିବାରେ ଶିକ୍ଷକମାନେ ଭୂମିକା ନେବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ପ୍ରତି ସଚେତନତା ବଢ଼ାଇବା ସହ ସମସ୍ତ ଶିଶୁଙ୍କୁ ବିଦ୍ୟାଳୟ ସହିତ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ସିଆରସିସି ଦ୍ବିତିକୃଷ୍ଣ ଲେଙ୍କା କହିଛନ୍ତି ଅଭିଭାବକଙ୍କ ସହଯୋଗ ବିନା ଶିକ୍ଷାର ବିକାଶ ଅସମ୍ଭବ। ଘରକୁ ଘର ଯାଇ ନିମନ୍ତ୍ରଣ କରିବା ଦ୍ବାରା ଶିକ୍ଷଳ ଓ ଅଭିଭାବକଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍ ହେଉଛି। ଖଡ଼ିଛୁଆଁ ଉତ୍ସବରେ ପ୍ରତ୍ୟେକ ଶିଶୁ ଯେପରି ସାମିଲ ହେବେ ସେଥ‌ିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି |