
ଚୌଦ୍ୱାର (ଶିବବ୍ରତ ଦାସ ): ଆଜିର ଦିନଟି କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଓଡ଼ିଆ ଆତ୍ମସମ୍ମାନର ପରିଚୟ। ଉତ୍କଳ ଦିବସ ଆମକୁ ସେହି ସଂଘର୍ଷର କଥା ସ୍ମରଣ କରାଏ, ଯେଉଁଠାରେ ଏକ ଭାଷା, ଏକ ପରିଚୟ ଓ ଏକ ସ୍ୱତନ୍ତ୍ର ରାଜ୍ୟ ପାଇଁ ଲଢେଇ କରାଯାଇଥିଲା। ୧୯୩୬ ମସିହାରେ ଆଜିର ଦିନରେ ଓଡ଼ିଶା ଭାଷା ଆଧାରିତ ପ୍ରଥମ ରାଜ୍ୟ ଭାବେ ଗଠିତ ହୋଇଥିଲା। ଏହି ଐତିହାସିକ ସଫଳତା ପଛରେ ଥିଲା ମଧୁସୂଦନ ଦାସ ଙ୍କ ଦୃଢ଼ ସଙ୍କଳ୍ପ, ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନେତୃତ୍ୱ। ସେମାନେ କେବଳ ଏକ ରାଜ୍ୟ ନୁହେଁ, ଗଢ଼ିଥିଲେ ଓଡ଼ିଆ ଅସ୍ତିତ୍ୱର ଏକ ଦୃଢ଼ ପରିଚୟ। ଆଜି ଯଦି ଆମେ ନିଜ ଭାଷାରେ କହିପାରୁଛୁ, ନିଜ ସଂସ୍କୃତିରେ ଗର୍ବ କରୁଛୁ ତାହା ସେମାନଙ୍କ ଅପରିମିତ ସଂଘର୍ଷର ଫଳ। ଏହି ଅବସରରେ ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଜଗତପୁର ଗୋଲେଇ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସଂଘର୍ଷର ଗାଥା କୁ ସ୍ମରଣ କରିଥିଲେ। ଉତ୍କଳ ଦିବସ ଆମକୁ କେବଳ ଗତକାଲିକୁ ସ୍ମରଣ କରିବାକୁ ନୁହେଁ, ଆଗକୁ ବଢ଼ିବାକୁ ଓ ନିଜ ମୂଳକୁ ସୁରକ୍ଷିତ ରଖିବାକୁ ମଧ୍ୟ ଆହ୍ୱାନ କରିଥିଲେ। ଏହି ଦିନରେ ଆମେ ସମସ୍ତେ ସଂକଳ୍ପ ନେବା ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବାରେ ଆମେ କେବେ ପଛୁଆ ପଡ଼ିବା ନାହିଁ ବୋଲି ଯୁବ ପିଢ଼ିଙ୍କୁ ଆହ୍ବାନ କରିଥିଲେ।