ବେଲଗୁଣ୍ଠା ଜଗନ୍ନାଥ ମନ୍ଦିରରୁ ଅଳଙ୍କାର ଚୋରି

ବେଲଗୁଣ୍ଠା/ ୦୩/୦୩ (ବିନାୟକ ଗୌଡ଼): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଗୁରୁବାର ଦିନ ସନ୍ଧ୍ୟାରେ ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ମନ୍ଦିର ପୂଜକ ଜ୍ଞାନେନ୍ଦ୍ର ମିଶ୍ର ସନ୍ଧ୍ୟା ୬ଟା ବେଳେ ପୂଜକ ଦରମା ଟଙ୍କା ରଖିବା ପାଇଁ ଘରକୁ ଯାଇ ୬.୨୦ରେ ଫେରିଥିଲେ । ପରେ ମନ୍ଦିରକୁ ଯାଇ ସନ୍ଧ୍ୟା ଆଳତି ପାଇଁ ପ୍ରସ୍ତୁତି କରିବା ସମୟରେ ମଦନ ମୋହନଙ୍କରୁପା  କିରଟି ଓ ମାଳା ନ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ଘଟଣା ସମ୍ପର୍କରେ ଟ୍ରଷ୍ଟ ବୋର୍ଡ଼କୁ ଜଣାଇବା ପରେ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲେ । ଖବର ପାଇ ଥାନା ଅଧିକାରୀ ରେବତୀ ଶବର ଓ ଟିମ ମନ୍ଦିରରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ପୂଜାକଙ୍କୁ ପଚରା ଉଚରା କରି ତଥ୍ୟ ସଂଗ୍ରହ କରି ଅଧିକ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି । ଚୋରି ରୁପା ଅଳଙ୍କାର ଓଜନ ପ୍ରାୟ ୩୦୦ ଗ୍ରାମରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ପୂର୍ବରୁ ବେଲଗୁଣ୍ଠା ଓ ଆଖ ପାଖ ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ବେଳେ ଅଧିକାଂଶ ଘଟଣାର ପର୍ଦା ଫାଶ ହୋଇଥିବା ଜଣାପଡିଛି ।