
ଭଞ୍ଜନଗର ୦୪/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗତ ୨୦୧୦ ଏପ୍ରିଲ ୪ ତାରିଖରେ କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ଡ୍ୟୁଟି କରୁଥିବା ସମୟରେ ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ଭଞ୍ଜନଗର ଥାନା ଅଧିନ ଜିଲୁଣ୍ଡି ଗ୍ରାମର ସହିଦ୍ ଏସଓଜି ଯବାନ ସଞ୍ଜୟ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଥାନାଧିକାରୀ ଜିବନାନନ୍ଦ ଜେନା, ଏସଆଇ ଲଷ୍ମୀଧର ମହାନ୍ତି, ହାବିଲଦାର ଦିଲ୍ଲୀପ କୁମାର ରାଉତ ଙ୍କ ସମେତ ପୋଲିସ ଟିମ୍ ସହୀଦ୍ ଙ୍କ ଜିଲୁଣ୍ଡି ଗ୍ରାମରେ ପହଞ୍ଚି ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସହିଦ୍ ସଞ୍ଜୟ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ସଞ୍ଜୟଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ସଞ୍ଜୟଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବୀର ଯବାନଙ୍କ ଅମ୍ଳାନ ସ୍ମୃତି ଚାରଣ କରିଥିଲେ। ଏହି ଭାବପୂର୍ଣ୍ଣ ପରିବେଶରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେ କହିଥିଲେ,ସଞ୍ଜୟଙ୍କ ବଳିଦାନକୁ ଓଡ଼ିଶା ପୋଲିସ କେବେ ବି ଭୁଲିବ ନାହିଁ। ଆମେ ସଦାସର୍ବଦା ତାଙ୍କ ପରିବାର ସହିତ ଅଛୁ ଏବଂ ରହିବୁ। ଏହି ଅବସରରେ ସହୀଦଙ୍କ ପରିବାରକୁ ପୋଲିସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପୁଅ ସଞ୍ଜୟଙ୍କୁ ହରାଇବାର ଦୁଃଖରେ ବାପା ସାହେବ ପ୍ରଧାନଙ୍କ ଆଖିରୁ ଲୁହ ଝରି ପଡୁଥିଲେ ମଧ୍ୟ ପୁଅ ଦେଶ ପାଇଁ ସହୀଦ୍ ହୋଇଥିବାରୁ ସେ ଗର୍ବିତ ବୋଲି ରୁଦ୍ଧ କଣ୍ଠରେ ପ୍ରକାଶ କରିଥିଲେ।