
ଭଞ୍ଜନଗର ୦୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ମୁଜାଗଡ ଗ୍ରାମ ପୋଖରୀରୁ ବୁଧବାର ଜଣେ ବୃଦ୍ଧଙ୍କ ମୃତଦେହ ମିଳିଛି। ମୃତକ ଜଣକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି ନୂଆଗାଁର ଅରକ୍ଷିତ ସାହୁ (୭୩)ବୋଲି ଜଣାପଡିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।
ସୁଚନାନୁସାରେ, ଅରକ୍ଷିତ ଗତ କିଛିଦିନ ପୂର୍ବେ ଘରୁ କେଉଁଆଡ଼େ ଚାଲି ଯାଇଥିଲେ।ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ହେଲେ ବୁଧବାର ତାଙ୍କ ଶବ ମୁଜାଗଡ ଗାଁ ନିକଟ ପୋଖରୀରେ ଭାସୁଥିବା ଲୋକେ ଦେଖିଥିଲେ। ଏହାପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଖରୀରୁ ଉଦ୍ଧାର କରିଥିଲେ। ଅରକ୍ଷିତ କେଉଁଭଳି ପରିସ୍ଥିତିରେ ମୁଜାଗଡ଼ ଆସିଥିଲେ ଏବଂ ସେ କେଉଁଭଳି ପରିସ୍ଥିତିରେ ମୃତ୍ୟୁବରଣ କଲେ ସେ ନେଇ ସଠିକ କିଛି ଜଣାପଡ଼ିନାହିଁ। ଭଞ୍ଜନଗର ପୋଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।