
ଚୌଦ୍ଵାର : (ଶିବବ୍ରତ ଦାସ ): ଚୌଦ୍ଵାର ଅଞ୍ଚଳରେ ଉନ୍ନତିର ନାଁରେ ଚାଲିଥିବା କାମ ଆଜି ପ୍ରଶ୍ନ ଚିହ୍ନରେ। ୫୫ ନମ୍ବର ଜାତୀୟ ରାଜପଥ ଉପରେ ଲୋକଙ୍କ ସୁରକ୍ଷା ସହ ଦୀର୍ଘଦିନ ଧରି ଖେଳୁଥିବା ଇମ୍ଫା କମ୍ପାନୀ ଏବେ ନିରୀହ ବାଣୀବିହୀନ ପଶୁମାନଙ୍କ ପାଇଁ ମଧ୍ୟ ବିପଦର କାରଣ ହୋଇଉଠିଛି। ମୁଣ୍ଡମାଳ ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ରେଳ ଧାରଣା, ଯାହା ଦିନେଦିନେ ଏକ ମୃତ୍ୟୁ ଫାନ୍ଦର ରୂପ ନେଉଛି। ରେଳ ଧାରଣା ରେ ଗୋଟିଏ ଗର୍ଭବତୀ ଗାଈର ପଛ ଗୋଡ ଫସିଯିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ଦୀର୍ଘ ସମୟ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବା ଗାଈଟିର ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଚେଷ୍ଟା କଲେ, କିନ୍ତୁ ବ୍ୟବସ୍ଥାର ଅବ୍ୟବସ୍ଥା ତାଙ୍କ ଚେଷ୍ଟାକୁ ବିଫଳ କଲା। ଶେଷରେ ଅଗ୍ନିଶମ ବିଭାଗର ସହାୟତା ନେବାକୁ ପଡ଼ିଲା। ଘଟଣାସ୍ଥଳରେ ଚୌଦ୍ଵାର ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ୩ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ଗାଈଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପୂର୍ବରୁ ପଶୁ ଚିକିତ୍ସକ ଟିମ୍ ଉପସ୍ଥିତ ରହିଥିଲେ ଏବଂ ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢ଼ିଛି। ଅଞ୍ଚଳବାସୀଙ୍କ ଦାବି ରେଳ ଧାରଣାରେ ଥିବା ଏହି ଫାଙ୍କକୁ ତୁରନ୍ତ ଢକାଯାଉ, ନଚେତ୍ ଆଗାମୀ ଦିନରେ ଇମ୍ଫା କମ୍ପାନୀର ମନମାନି କାର୍ଯ୍ୟକୁ ଜୋରଦାର ଭାବେ ବିରୋଧ କରାଯିବ।
ପ୍ରଶ୍ନ ହେଉଛି? ଆଜି ଗୋଟିଏ ନିରୀହ ପଶୁ ଫସିଗଲା, କାଲି ଯଦି କୌଣସି ଶିଶୁ କିମ୍ବା ସାଧାରଣ ଲୋକ ଏହି ଫାନ୍ଦରେ ପଡ଼ନ୍ତି, ତେବେ କିଏ ଦାୟି ରହିବ। ପ୍ରଶାସନ କାହିଁକି ନିରବ ରହିଛି? ଆଉ କେତେ ଘଟଣା ପରେ ଏହି ନୀରବତା ଭାଙ୍ଗିବ? ଏହା କେବଳ ଏକ ଦୁର୍ଘଟଣା ନୁହେଁ, ଏହା ଉନ୍ନତିର ଆଡ଼ରେ ଚାଲିଥିବା ଅବହେଳାର ଜ୍ୱଳନ୍ତ ଉଦାହରଣ।