ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ, ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଗିରଫ

ଯାଜପୁର (ଅଭିମନ୍ୟୁ ମିଶ୍ର, ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆୟୁଷ୍ମାନ ଭାରତ ଯୋଜନାରେ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନୁଷ୍ଠାନ ବୁଲି ଯୋଗ ଶିକ୍ଷା ଦେଉଥିବା ଜଣେ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ପଞ୍ଝାରେ ପଡ଼ିଛି। ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବାଡ଼ଦେଇଜୁର ଗାଁର ମନ୍ଦାର ସାହୁଙ୍କ ପୁଅ ବୈକୁଣ୍ଠ ସାହୁ ଓରଫ୍‌ ବାବା ସ୍ବାମୀ ବେଦଶ୍ରବା(୩୫)। ସୁକିନ୍ଦା ଥାନା କେସ୍ ନମ୍ବର ୨୫/୨୬ ଆଧାରରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି।

ଅଭିଯୁକ୍ତ ବାବା ୨ ମାସ ଧରି ଓଡ଼ିଶା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲା। ସ୍ବାମୀ ବେଦଶ୍ରବା ନାଁରେ ଗୁଜୁରାଟ ଓ ମଧ୍ୟପ୍ରଦେଶର ବିଭିନ୍ନ ଆଶ୍ରମରେ ସେ ଆତ୍ମଗୋପନ କରିଥିଲା। ସେ ମୋବାଇଲ୍‌ ବ୍ୟବହାର କରୁନଥିବାରୁ ତା’ର ଗତିବିଧି ଜାଣିବା ପୁଲିସକୁ ଅଡ଼ୁଆ ହୋଇଥିଲା। ସୁରତର ଏକ ଆଶ୍ରମରେ ତାକୁ ଠାବ କରାଯିବା ପରେ ୩ ଦିନ ଧରି ତା’ ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିଲା। ବିଭିନ୍ନ ପ୍ରଲୋଭନରେ ତାକୁ ଢେଙ୍କାନାଳ ଜିଲ୍ଲା ଭୁବନ ନିମନ୍ତ୍ରଣ କରାଯାଇଥିଲା। ଭୁବନ ଉପକଣ୍ଠ ମନ୍ଦାର ବ୍ରାହ୍ମଣୀ ବାଜିରାଉତ ସେତୁ ପାଖରେ ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନେତୃତ୍ବରେ ୪ ଜଣିଆ ପୁଲିସ ଟିମ୍‌ ତାକୁ ମାଡ଼ି ବସିଥିଲା। ପୁଲିସ ଏହି ଘଟଣାରେ ଗତ ୨୮ ତାରିଖ ଅନ୍ୟତମ ଅଭିଯୁକ୍ତ ଯୋଗ ଶିକ୍ଷକ ସୁରେନ୍ଦ୍ର କୁମାର ସୁବୁଦ୍ଧିକୁ ଗିରଫ କରି ଜେଲ ପଠାଇଥିଲା।

ପୁଲିସ ସୂଚନାରୁ ଜଣାପଡ଼ିଛି ଯେ, ଯାଜପୁର ଅଳକୁଣ୍ଡ ଇଲାକାର ପୀଡ଼ିତା ଯୋଗ ଶିକ୍ଷୟିତ୍ରୀ କରୋନା ସମୟରେ ଯୋଗଗୁରୁ ସୁରେନ୍ଦ୍ରଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ପ୍ରେମ ବିବାହ କରି ଦମ୍ପତି ଭାବେ ଏକାଠି ରହୁଥିଲେ। ପରେ ସେମାନଙ୍କ ମଧ୍ୟରେ ମନାନ୍ତର ଓ ଛାଡ଼ପତ୍ର ହୋଇଥିଲା। ଗତ କିଛିମାସ ତଳେ ଯୋଗଗୁରୁ ବେଦଶ୍ରବା ଓ ଗୁରୁମା ପରସ୍ପରକୁ କେନ୍ଦୁଝର ରାମଚନ୍ଦ୍ରପୁର ଓ ଭୁବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ‌ହୋଇଥିଲା। ପୀଡ଼ିତା ଓ ଅଭିଯୁକ୍ତ ଗତ ଜାନୁଆରି ମାସ ୧୭ ଓ ୧୮ ତାରିଖ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରସ୍ଥ ଏକ ପରିତ୍ୟକ୍ତ ଘରେ ଧରି ରହିଥିଲେ।

ବିବାହ ପ୍ରତିଶ୍ରୁତି ଦେଇ ବାବା ଶାରୀରିକ ସଂପର୍କ ରଖିଥିଲେ ବୋଲି ପୀଡ଼ିତା ଶିକ୍ଷୟିତ୍ରୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏହା ପର ଠାରୁ ଆଉ ବାବା ତାଙ୍କୁ ଧୋକା ଦେଇ ଫେରାର୍ ହୋଇଯାଇଥିଲେ। ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ସବୁକୁ ବାବା ବିଭିନ୍ନ ବ୍ୟକ୍ତିଙ୍କୁ ପଠାଇଥିବା ପୀଡ଼ିତା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଏହାକୁ ନେଇ ପୀଡ଼ିତା ଗତ ଫେବ୍ରୁଆରି ୯ ତାରିଖ ରାମଚନ୍ଦ୍ରପୁର ଥାନାରେ ଏତ‌ଲା ଦାଏର କରିଥିଲେ। ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ପୂର୍ବତନ ସ୍ବାମୀ ସୁରେନ୍ଦ୍ର ପାଖରେ ଥିବା ପୁଲିସକୁ ଜଣାଇଥିଲେ। ୨ ଦିନ ମଧ୍ୟରେ ଏହି କେସ୍ ସୁକିନ୍ଦା ଥାନାକୁ ସ୍ଥାନାନ୍ତରିତ ହୋଇଥିଲା। ରାଜ୍ୟ ପୁଲିସ ମୁଖ୍ୟାଳୟ ନିର୍ଦ୍ଦେଶ‌ରେ ଅଭିଯୁକ୍ତ ବାବା ବେଦଶ୍ରବାକୁ ଗିରଫ ପାଇଁ ଏସ୍‌ପି ଯଶ ପ୍ରତାପ ଶ୍ରୀମଲ ୩ଟି ପୁଲିସ ଟିମ୍‌ ଗଠନ କରାଇ ପଶ୍ଚିମ ଓଡ଼ିଶା, ଗୁଜୁରାଟ ଓ ମଧ୍ୟପ୍ରଦେଶ ପଠାଇଥିଲେ।