
ବେଲଗୁଣ୍ଠା/ ୧୪/୦୪ (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ତନରଡ଼ା ସରନାଳ କେନାଲ ବ୍ରିଜ ନିକଟରେ ଏକ କୋରିଅର ଭ୍ୟାନ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗହୀରରେ ଓଲଟି ପଡିଥିବା ବେଳେ ଭ୍ୟାନ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, କଟକରୁ ଅନଲାଇନ କୋରିଅର ସାମଗ୍ରୀକୁ ଭଞ୍ଜନଗରରେ ଡେଲିଭେରୀ ଦେବା ପାଇଁ ଆସିଥିବା ଏକ କୋରିଅର ଲୋଡିଙ୍ଗ ଭ୍ୟାନଟି (ଓଡ଼ି ୦୫ ବିଜି ୪୨୪୬) ଭଞ୍ଜନଗରରେ ଲୋଡିଙ୍ଗ ସାମଗ୍ରୀକୁ ଆନଲୋଡିଙ୍ଗ କରି ଡେଲିଭେରୀ ଦେଇ କଟକ ଅଭିମୁଖେ ଫେରୁଥିବା ବେଳେ ସକାଳ ପ୍ରାୟ ୭ଘଣ୍ଟ ସମୟରେ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ତନରଡ଼ା ସରନାଳ ଠାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଗହୀରକୁ ଓଲଟି ପଡ଼ିଥଲା । ଫଳରେ ଭ୍ୟାନ ଡ୍ରାଇଭର ରାକେଶ କୁମାର ବାରିକ ସୌଭାଗ୍ୟ କ୍ରମେ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଏକ ବଡ଼ ଧରଣର ଅଘଟନକୁ ବର୍ତ୍ତି ଯାଇଛନ୍ତି । ପରେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିବା ବେଳେ କ୍ରେନ ସାହାଯ୍ୟରେ ଭ୍ୟାନକୁ ଉଠାଯିବା ପରେ ଭ୍ୟାନ ଧରି ଡ୍ରାଇଭର ରାକେଶ କୁମାର ବାରିକ କଟକ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଫେରିଛନ୍ତି ।