
ଭଞ୍ଜନଗର ୨୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳରୁ ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ଜି.ରମ୍ଭା ଛକରୁ ୨୩ କେଜି ୩୪୫ ଗ୍ରାମ ଗଞ୍ଜେଇ ସହ ୭,୦୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରିଛି। ଏହା ସହ ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଭେଜିପୁଟ କେନାଲ ସାହିର ମିଥୁନ କୁମାର ଶତପଥି ଓ ବିହାରର ଜୟରାମ ପାଶିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି।
ସୁଚନାନୁସାରେ,ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନିର୍ଦେଶ କ୍ରମେ ସୋମବାର ଏସଆଇ ଲଷ୍ମୀଧର ମହାନ୍ତି ଭଞ୍ଜନଗର ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଛକ ଠାରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଜି. ରମ୍ଭା ଛକ ଠାରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଧରି ଛିଡା ହୋଇଥିବା ନେଇ ପେଟ୍ରୋଲିଂ ଟିମ୍ ଖବର ପାଇଥିଲେ। ପରେ ପେଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରୁ ୨୩. ୩୪୫ କେଜି ଗଞ୍ଜେଇ ବାହାରିଥିଲା। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯିବା ସହ ଏହି ଘଟଣାରେ ଭଞ୍ଜନଗର ପୁଲିସ ଏକ ମାମଲା ରୁଜୁ କରି ଉଭୟ ଜୟରାମ ଓ ମିଥୁନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।