
ଭଞ୍ଜନଗର ୨୩/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା ଟୁଡେ): ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା। ଏହା ପୂର୍ବରୁ ଆକ୍ସନ୍ ମୁଡ୍କୁ ଆସିଛି ପ୍ରଶାସନ। ଗତ ଶନିବାର ପ୍ରଥମ ଦିନରେ ଭଞ୍ଜନଗର ସହରର ମୁଖ୍ୟରାସ୍ତା ସମେତ ପୁରୁଣା ବଜାର ସାହି ରାସ୍ତାକଡ଼ରେ ଥିବା ଜବରଦଖଲକୁ ଉଚ୍ଛେଦ କରିଥିଲା ପ୍ରଶାସନ। ଦ୍ବିତୀୟ ଦିନରେ ଗୁରୁବାର ବସଷ୍ଟାଣ୍ଡ ଠାରୁ ମହାବୀର ଛକ, ଏଲଆଇସି ଅଫିସ୍ ଛକ, ବାଗଦେବୀ ରୋଡ, କୋର୍ଟ ସାମ୍ନା ମୁଖ୍ୟ ରାସ୍ତା ଓ ଷ୍ଟେଟ ବ୍ୟାଙ୍କ ଛକର ରାସ୍ତା କଡରୁ ପୁଣି ଜବରଦଖଲ ହଟାଯାଇଛି। ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡ ଓ ମୁଖ୍ୟରାସ୍ତାରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ଅସ୍ଥାୟୀ ଦୋକାନ ଓ ଠେଲାଗାଡ଼ି ଗୁଡ଼ିକୁ ହଟାଇ ଦିଆଯାଇଛି। ଏଥିସହ ରାସ୍ତା ଆଡ଼କୁ ମାଡ଼ି ଆସିଥିବା ଉପକରଣ ଗୁଡ଼ିକୁ ମଧ୍ୟ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ପୁଣି ଜବରଦଖଲ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।ବେପାରୀମାନେ ଉଚ୍ଛେଦ ସମୟରେ ଟିଣ ଓ କାଠସାମଗ୍ରୀ ସମେତ ଆସବାବପତ୍ର ଅନ୍ୟତ୍ର ବୋହି ନେଉଥିବା ଦେଖିବାକୁ ମିଳିଥିଲା। ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ପ୍ରମୁଖ ଜବରଦଖଲ ଉଚ୍ଛେଦରେ ସାମିଲ ହୋଇଥିଲେ।