
ଚୌଦ୍ଵାର(ଶିବବ୍ରତ ଦାସ ) : ଟାଙ୍ଗୀଚୌଦ୍ବାର ବ୍ଳକ ବଡ଼ଚାଞ୍ଚୋ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କ୍ଷେତ୍ରପାଳିକାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜଗତକଲ୍ୟାଣ ନିମନ୍ତେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୨୭ ତାରିଖରୁ ଯଜ୍ଞ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଅନୁଷ୍ଠିତ ହେବବୋଲି ପୀଠର ପୁଜକ ବାବା ବିଜୟାନନ୍ଦ ଦାସ ମହାରାଜ ଓ ଯଜ୍ଞ କମିଟିର ସଭାପତି ମାୟାଧର ମଲ୍ଲିକ ବୈଠକରେ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟଯେ ଗଙ୍ଗବଂଶ ଶାସନ କାଳରୁ ପୀଠର ମହାତ୍ମ୍ୟ ରହି ଥିବାରୁ ମାନସିକଧାରୀଙ୍କ ମାନସିକ ପୂରଣ ହୁଏବୋଲି ଜନ ମାନସରେ ବିଶ୍ବାସ ରହିଛି । ଏହି ପୁରାତନ ଯଜ୍ଞାନୁଷ୍ଠାନରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟର ଶ୍ରଦ୍ଧାଳୁ ଯୋଗଦେଇ ଯଜ୍ଞ କୁଣ୍ଡରେ ଘୃତ ଓ ନଡିଆ ଅର୍ପଣ କରିଥାନ୍ତି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଓ ଜନଗହଳିକୁ ଲକ୍ଷ ରଖି ଭକ୍ତ ମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବେ ସେଥୁ ପାଇଁ ଯଜ୍ଞ କମିଟି ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଦୀର୍ଘ ୪ଦିନ ଧରି ଆୟୋଜିତ ହେବାକୁଥିବା ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହିତ ଏଥୁରେ ବହୁ ସାଧୁସନଙ୍କ ଯୋଗଦାନ ଓ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ଆୟୋଜନ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି । ଯଜ୍ଞ କମିଟିର ସମ୍ପାଦକ ନବୀନ ସିଂହ ଗତ ବର୍ଷର ଆୟ ଓ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାଙ୍କ ବିଭୁକୃପା ଲାଭ କରିବା ପାଇଁ ଅଞ୍ଚଳର ଜନସାଧାରଣଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଛି ।