
ଚୌଦ୍ଵାର (ଶିବବ୍ରତ ଦାସ ): ସମାଜ ଯେଉଁଠାରେ ‘ମାମୁଁ ‘ କୁ ଭରସାର ଅନ୍ୟ ନାମ ବୋଲି ମାନେ, ସେଠାରେ ଆଜିର ଏହି ଘଟଣା ସେଇ ଭରସାକୁ ଚୁରମାର୍ କରିଦେଇଛି। ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମାଜର ନୀତି ଓ ମୂଲ୍ୟବୋଧକୁ ପ୍ରଶ୍ନରେ ପକାଇଛି। ଜଣେ ସମ୍ପର୍କୀୟ ମାମୁଁ ଦେହର ଭୋକ ମେଣ୍ଟାଇବାକୁ ଯାଇ ନାବାଳିକାଙ୍କୁ ଭୟଭୀତ କରି ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଅଭିଯୁକ୍ତ ପ୍ରଶାନ୍ତ ମଲିକ ନାବାଳିକାକୁ ବନ୍ଧୁକ ଦେଖାଇ ଧମକ ଦେଇ ତାଙ୍କୁ ନିରବ ରହିବାକୁ ବାଧ୍ୟ କରିଥିଲେ। ଏହା ସହିତ ଘଟଣା ସମୟର କିଛି ଭିଡିଓ ଓ ଫଟୋ ନିଜ ଫୋନ୍ ରେ ଉତୋଳନ କରି ସେଗୁଡିକୁ ଭାଇରାଲ କରିବାର ଧମକ ଦେଇ ମାନସିକ ଭାବେ ଚାପ ସୃଷ୍ଟି କରିଥିଲେ। ଏହି ଭୟ ଓ ଚାପରେ ନାବାଳିକା ଦୀର୍ଘଦିନ ଧରି ମାନସିକ ଯନ୍ତ୍ରଣାରେ ରହୁଥିଲେ। ପରେ ପରିବାର ଲୋକଙ୍କ ସନ୍ଦେହ ଓ ପଚରାଉଚରା ପରେ ଘଟଣାଟି ପ୍ରକାଶ ପାଇଥିଲା। ଏହା ପରେ ନାବାଳିକାଙ୍କ ମାଆ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପ୍ରଶାନ୍ତ ମଲ୍ଲିକ (୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (ବି.ଏନ୍.ଏସ), ଆର୍ମସ୍ ଆକ୍ଟ ଓ ପୋକ୍ସୋ ଆଇନର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ଥାନା ଅଧିକାରୀ ବିକାଶ କୁମାର ସେଠୀ ଘଟଣାକୁ ଗୁରୁତ୍ୱ ସହ ନେଇଥିବା ବେଳେ ତଦନ୍ତ ଭାର ପ୍ରଶାନ୍ତ କୁମାର ବେହେରାଙ୍କୁ ଦିଆଯାଇଛି। ମାନ୍ୟବର କୋର୍ଟଙ୍କ ଦ୍ୱାରେ ଜାମିନ ନାମଞ୍ଜୁର ହେବାରୁ ପ୍ରଶାନ୍ତ ମଲିକ କୁ ଚୌଦ୍ଵାର ମଣ୍ଡଳ କାରାଗାର କୁ ପଠାଇ ଦିଆ ଯାଇଛି। ଏପରି ଘଟଣା କେବଳ ଗୋଟିଏ ପରିବାର ପାଇଁ ନୁହେଁ, ସମଗ୍ର ସମାଜ ପାଇଁ ଗଭୀର ଚିନ୍ତାର ବିଷୟ।ନାବାଳିକାଙ୍କ ସୁରକ୍ଷା ଓ ସଚେତନତା ପାଇଁ ପରିବାର, ସମାଜ ଓ ପ୍ରଶାସନଙ୍କ ସମିଳିତ ପଦକ୍ଷେପ ଅତ୍ୟାବଶ୍ୟକ। ଭୟ କିମ୍ବା ଲଜ୍ଜା ରେ ଚୁପ୍ ରହିବା ନୁହେଁ, ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ହେଉଛି ପ୍ରଥମ ପଦକ୍ଷେପ।