ଟାଙ୍ଗୀ ଚୌଦ୍ବାର ବ୍ଲକ ରେ ଖୁଲମଖୋଲା ଲୁଟ

ଚୌଦ୍ଵାର (ଶିବବ୍ରତ ଦାସ ): ସରକାର ମହିଳା ମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ ପ୍ରକାର ଯୋଜନା କରୁଛନ୍ତି, କିନ୍ତୁ ଯୋଜନା ଆଡରେ ଚାଲିଛି ବଡ଼ ଖେଳ। ଅସାଧୁ ଅଧିକାରୀ ଓ ତଳ ସ୍ତରର କର୍ମଚାରୀଙ୍କ ମିଳିତ ଚକ୍ରାନ୍ତରେ ସରକାରୀ ଅର୍ଥ ଲୁଟ୍ ହେଉଥିବା ଗୁରୁତର ଅଭିଯୋଗ ଆସିଛି କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରୁ।
ଅଭିଯୋଗ ଅନୁଯାୟୀ, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ୍ ମିତ୍ର ଓ ସି.ଆର.ପି ମାନେ ବ୍ଲକ ପ୍ରଶାସନ ସହ ହାତ ମିଳାଇ ସରକାରୀ ଅର୍ଥ କୁ ଦୁର୍ବ୍ୟବହାର କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହି କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ୍ ମିତ୍ର ଓ ସି.ଆର.ପି ମାନେ କାର୍ଯ୍ୟର କୌଣସି ହିସାବ ଦେଉନଥିବା ସତ୍ତେ ମାସ ମାସ ଦରମା ଉଠାଉଛନ୍ତି। ଲାଇଭହୁଡ୍ ଯୋଜନାରେ ମଧ୍ୟ ଗୁରୁତର ଅନିୟମିତତା ଦେଖାଯାଇଛି। ବହୁ ମାସ ଧରି କୌଣସି ସଠିକ ହିସାବ ନଥିବା ବେଳେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଛି। ତଥାପି ଏହି ସବୁକୁ ଜାଣିଶୁଣି ଅଧିକାରୀମାନେ ନିରବ ରହିଥିବାରୁ ପ୍ରଶ୍ନ ଉଠୁଛି। ଅଧିକ ଚର୍ଚ୍ଚାର ବିଷୟ ହେଉଛି—ରାଜନୈତିକ ପ୍ରଭାବରେ କେତେକ କର୍ମଚାରୀ ସରକାରୀ ନିୟମକୁ ପାଦତଳେ ଦଳି ଦୁର୍ନୀତିରେ ଲିପ୍ତ ହେଉଥିବା ଅଭିଯୋଗ ମଧ୍ୟ ସାମ୍ନା କୁ ଆସିଛି। ଏହାକୁ ନିରବ ସମର୍ଥନ ଦେଉଛି ବ୍ଲକ ପ୍ରଶାସନ। ଏନେଇ ବ୍ଲକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପଦକ୍ଷେପ ନିଆ ନଯିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। “ଲୋକଙ୍କ ସରକାର” ବୋଲି ଦାବି କରୁଥିବା ରାଜ୍ୟ ସରକାରଙ୍କ ନଜର କେବେ ପଡ଼ିବ? କେବେ ଦୁର୍ନୀତି ମୁକ୍ତ ହେବ ଏହି ଟାଙ୍ଗୀ ଚୌଦ୍ଵାର ବ୍ଲକ। ନା ସାଧାରଣ ଲୋକଙ୍କ କର ଟିକସ ଟଙ୍କା ଏଭଳି ଲୁଟ୍ ହେଉଥିବ? ଆଖି ଥାଇ ଅନ୍ଧ କାନ ଥାଇ ବଧିର ପାଲଟି ଥିବା ବ୍ଲକ୍ ପ୍ରଶାସନ ଯଦି ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦିଏ ତେବେ ଆଗାମୀ ଦିନରେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରୁଛନ୍ତି।