
ପୁରୀ, ୩୦/୦୪(ବଳରାମ ତ୍ରିପାଠି): କଂସେଇଖାନା ଯାଉଛି ମହାପ୍ରଭୁଙ୍କ ରଥକାଠ । ରଥ ନିର୍ମାଣରେ ବ୍ୟବହାର ହେଉଥିବା ବଡ଼ବଡ଼ ଗୋଲେଇ କାଠ ଗଣ୍ଡିକୁ କଂସେଇଖାନାକୁ ମାଂସ କାଟିବା ନିମନ୍ତେ ପଠାଯାଉଛି । ରଥ ନିର୍ମାଣ ପରେ ବଳି ପଡୁଥିବା ଏହି ବଳକା କାଠଗଣ୍ଡିକୁ ରଥଖଳା ନିକଟରୁ ବୋହି ଆଣୁଛନ୍ତି ମାଂସ ଦୋକାନୀ । ଏଭଳି ଅଭାବନୀୟ ଘଟଣା ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ପହଞ୍ଚାଇଛି ।
ରଥ ନିର୍ମାଣ ନିମନ୍ତେ ଆସୁଥିବା କାଠ ସହ ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ଜଡ଼ିତ । ମନ୍ତ୍ରପାଠରେ ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ହୋଇ ରଥ ନିର୍ମାଣ ଆରମ୍ଭ ହୋଇଥାଏ । ଏହି ପବିତ୍ର ରଥକାଠର ଅପବ୍ୟବହାର ହେଉଥିବା ଦେଖାଯାଉଛି । ୨ ଜଣ ବ୍ୟକ୍ତି ନିଜ ଦୁଇଚକିଆରେ ରଥଖଳାରୁ କାଠ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରଥ ନିର୍ମାଣ ପରେ ବଳକା କାଠଗଣ୍ଡିକୁ ପୁରୀରେ ଥିବା ମାଂସ ଦୋକାନୀ ନେଉଛନ୍ତି । ଖୁବ୍ ଶସ୍ତାରେ ଏହି କାଠ ଗଣ୍ଡିଗୁଡ଼ିକୁ ସେମାନଙ୍କୁ ବିକ୍ରି କରିଦିଆଯାଉଛି । ଘଟଣାରେ ରଥଖଳାରେ କାର୍ଯ୍ୟରତ କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ବିଭିନ୍ନ ମହଲରୁ କ୍ଷୋଭ ଜାହିର କରିଛନ୍ତି ।
ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଏହା ଆଘାତ ପହଞ୍ଚାଇଥିବା କୁହାଯାଇଛି । ଦଶପଲ୍ଲାର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା କହିଛନ୍ତି, ମହାରାଜା ମୁକୁନ୍ଦଦେବଙ୍କ ସମୟରୁ ଆମେ ରଥ ନିର୍ମାଣ ପାଇଁ କାଠ ଯୋଗାଉଛୁ । ନିଜ ସ୍ୱାର୍ଥକୁ ବଳି ଦେଇ ଜଙ୍ଗଲ ସଫା କରି ଦଶପଲ୍ଲାବାସୀ କାଠ ଯୋଗାଉଥିବା ବେଳେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି ।