ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ : ୪ ଗିରଫ, ୨୫ ଲକ୍ଷ ଟଙ୍କା ଜବତ

ପୁରୀ, ୩୦।୪ (ବଳରାମ ତ୍ରିପାଠି) : ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟିଙ୍କ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୨୫.୩୫ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ୧୦ ଟି ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୩୧ ଲକ୍ଷରୁ ଅଧିକ ଟଙ୍କାକୁ ପୋଲିସ ଫ୍ରିଜ କରିଥିବା ବେଳେ ୬ ଟି ମୋବାଇଲ ଫୋନ୍ ଜବତ କରିଛି । ଏକ ଆପ ମାଧ୍ୟମରେ ଚାଲିଥିଲା ଏହି ରାକେଟ । ଗିରଫ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ବି. ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଆପ୍ ମାଧ୍ୟମରେ ଲୋକ ମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ଏହି ପଏଣ୍ଟ ଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା । ଏହି ନେଟୱାର୍କରେ ସ୍ଥାନୀୟ ଅର୍ଗାନାଇଜର ମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଏହି ଅର୍ଗାନାଇଜର ଲୋକଙ୍କୁ ନେଟୱାର୍କରେ ସାମିଲ କରିବା ପାଇଁ ମାସିକ ୨୨,୦୦୦ ଦିଆଯାଉଥିଲା । ଏହି ଘଟଣା ସମ୍ପର୍କରେ ପୁରୀ ସାଇବର କ୍ରାଇମ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି ।