
ପୁରୀ,୩୦/୪/(ବଳରାମ ତ୍ରିପାଠି): ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ମା ଅର୍ଦ୍ଧଶୋଷିନୀ ମାଉସୀ ମା ‘ ଙ୍କ ଜଳାଶାୟୀ ଉତ୍ସବ ବଡଦାଣ୍ଡସ୍ଥିତ ମନ୍ଦିର ପ୍ରାଙ୍ଗଣରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି । ଗୁରୁବାର ପ୍ରତ୍ୟୁଷରୁ ମା ‘ ଙ୍କ ପାରମ୍ପରିକ ପୂଜା ନୀତି ଶେଷ ହେବାପରେ ଅପରାହ୍ନରେ ମନ୍ଦିର ଗମ୍ଭୀରା ରେ ମାଆ ଙ୍କ ସମ୍ମୁଖରେ ମାଟି ବାଡ଼ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବ୍ରାହ୍ମଣମାନେ ଶୁଦ୍ଧ ପୂତ ଭାବେ କୂଅ ରୁ ଗରାରେ ପାଣି ଆଣି ରଖିଥିଲେ । ମନ୍ଦିରର ପୂଜକଙ୍କ ଦ୍ୱାରା ଜଳକୁ ଅଭିମନ୍ତ୍ରିତ କରାଯାଇ ମା ‘ ଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ସୁବାସିତ ଜଳ ଲାଗି କରାଯାଇଥିଲା । ଏହି ଜଳରେ ଅଗୁର, ଚନ୍ଦନ, କର୍ପୂର, କେଶର, ଜାଇଫଳ ଓ କୁକୁମ ମିଶ୍ରିତ କରାଯାଇଥିଲା । ମା ‘ ଙ୍କ ଜଳାଶାୟୀ ଉତ୍ସବର ଚମତ୍କାରିତା ହେଉଛି ମା ‘ ଙ୍କ ସମ୍ମୁଖରେ ଢଳା ଯାଇଥିବା ଜଳ ଯିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଧୀରେ ଧୀରେ ଘେର ରୁ ପାଣି ଛାଡି ଯାଇଥାଏ । ବିଶ୍ୱାସ ରହିଛି ମା ‘ ଅର୍ଦ୍ଧାଶୋଷିନୀ ଏହି ଜଳକୁ ଶୋଷି ନେଇଥାନ୍ତି । ପାଣି ଛାଡି ଯିବା ପରେ ସନ୍ଧ୍ୟାରେ ମା ‘ ଙ୍କୁ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବହୁ ଶ୍ରଦ୍ଧାଳୁ ମା ‘ ଙ୍କ ଜୟଶାୟୀ ଉତ୍ସବ ଦର୍ଶନ କରି ଶୁଖିଲା ଭୋଗ ଅର୍ପଣ କରିଥିଲେ । ଗ୍ରୀଷ୍ମ ତାପରୁ ଶୀତଳତା ପାଇଁ ବୈଶାଖ ଶୁକ୍ଳ ଚତୁର୍ଦ୍ଧଶୀ ନୃସିଂହ ଜନ୍ମରେ ମାଉସୀ ମା ‘ ଙ୍କ ଜଳାଶାୟୀ ନୀତି ସମ୍ପନ୍ନ କରାଯାଇଛି । ମୁଖ୍ୟ ପୂଜକ ବିଶ୍ୱନାଥ ମିଶ୍ର, ଶୁଭେନ୍ଦୁ ତ୍ରିପାଠୀ, ଲିଙ୍ଗରାଜ ପଣ୍ଡା ଜଳାଶାୟୀ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହି ଅବସରରେ ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ
ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲିଙ୍ଗରାଜ କଳା ନିକେତନ ଦ୍ୱାରା ଚିତାକର୍ଷକ ନୃତ୍ୟ ବିଚିତ୍ରା ,ଓଡିଶୀ ନୃତ୍ୟ ନାଟିକା ଗଙ୍ଗା ଅବତରଣ , ଦଶମହାବିଦ୍ୟା , ବାଳ ଗୋପାଳଷ୍ଟକମ, ଦଶାବତାର,ନିତ୍ୟ ଜଗନ୍ନଥ , ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ମନୋଜ କୁମାର ପ୍ରଧାନ ଙ୍କ ନୃତ୍ୟ ନିର୍ଦ୍ଦେଶନା ଓ ବିଶିଷ୍ଟ ମର୍ଦ୍ଦଳ ଗୁରୁ ଜଗନ୍ନାଥ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନୃତ୍ୟ ଶିଳ୍ପୀ ସିପ୍ରା ମିଶ୍ର,ମମତା ଭୋଇ,ଅର୍ଚ୍ଚନା ସାହୁ, ଭାଗ୍ୟଲକ୍ଷ୍ମୀ ଜେନା, ଶୁଭସ୍ମିତ ବଳ, କାଳୁଚରଣ ବରାଳ, ବଳରାମ ସେଠୀ, ସତ୍ୟଜିତ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।