ଓ.ଏମ୍.ପି ଛକରେ ‘ସେଟିଂ’ ର ନୂଆ କାହାଣୀ: ପ୍ରଭାତଙ୍କ ଇସାରାରେ ସୌଭିକ୍ ଙ୍କ ନୂଆ ଗୋଟି ଚାଳନା, ଦଳ ଅଲଗା ଦିଲ୍ ଏକ, ଓ.ଏମ.ପି ଛକରେ ରାଜନୀତିର ନୂଆ ସମୀକରଣ

ଚୌଦ୍ୱାର (ଶିବବ୍ରତ ଦାସ ): କଟକ ସହରର ଓ.ଏମ.ପି ଛକରେ ଦେଖାଗଲା ରାଜନୀତିର ଗୋଟିଏ ଶାନ୍ତ କିନ୍ତୁ ସନ୍ଦେହଜନକ ଦୃଶ୍ୟ।ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ଵାଳ ଓ ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ଭେଟଘାଟ—ବାହାରୁ ଦେଖିଲେ ସାଧାରଣ, କିନ୍ତୁ ଭିତରେ ଲୁଚିଥିବା ରାଜନୀତିକ ଗଣିତ ଅନେକ କଥା କହୁଛି। ଯେଉଁ ବିଧାୟକ ଦଳୀୟ ରେଖାକୁ ଭଙ୍ଗ କରି ଦିଲୀପ ରାୟଙ୍କୁ ଭୋଟ ଦେଇଥିଲେ, ସେହି ନେତାଙ୍କ ସହିତ ଆଜିର ଏହି ସ୍ମିତ ମୁହଁର ସାକ୍ଷାତକାର କି ସତରେ କେବଳ ଶିଷ୍ଟାଚାର? ନାକି ଏହା ହେଉଛି “ଦଳ ଆଲଗା, ହିସାବ ଆଲଗା” ରାଜନୀତିର ଏକ ଖୋଲା ପାଠ? ସାଧାରଣ ଲୋକଙ୍କୁ ଦଳୀୟ ନିଷ୍ଠାର କଥା କହାଯାଏ, କିନ୍ତୁ ନେତାମାନଙ୍କ ପାଇଁ ନିୟମ ବଦଳିଯାଏ—ଏହି ଭେଟଘାଟ ସେହି ପ୍ରଶ୍ନକୁ ଆଉଥରେ ଉଠାଇଦେଇଛି। ରାଜନୀତିରେ “ଭୋଟ ଅଲଗା, ସମ୍ପର୍କ ଅଲଗା” ନୀତି କେତେ ଦୂର ପର୍ଯ୍ୟନ୍ତ ଚାଲିବ? ଏହା କି ଆଗାମୀ ରାଜନୀତିକ ଗଠନର ଟ୍ରେଲର୍?
ନା କେବଳ ଚର୍ଚ୍ଚାକୁ ଗରମ ରଖିବା ପାଇଁ ଏକ ସଜାଯାଇଥିବା ଦୃଶ୍ୟ?
ରାଜନୀତିକ ମଞ୍ଚରେ ଏପରି ଦୃଶ୍ୟ ନୂଆ ନୁହେଁ, କିନ୍ତୁ ପ୍ରତ୍ୟେକ ଥରେ ଏହା ଲୋକମାନଙ୍କ ବିଶ୍ୱାସକୁ ନୂଆକରି ପରୀକ୍ଷା କରେ। ଯେଉଁଠାରେ ଜନତା ଭୋଟ ଦେଉଛନ୍ତି ଦଳକୁ ଭାବି, ସେଠାରେ ନେତାମାନେ ହୋଇପାରେ ଖେଳୁଛନ୍ତି ନିଜସ୍ୱ ସମୀକରଣର ଖେଳ। ଓ.ଏମ.ପି ଛକର ଏହି ଛୋଟ ଭେଟ ଏବେ ବଡ଼ ପ୍ରଶ୍ନ ଉଠାଇଛି। ରାଜନୀତିରେ ନିଷ୍ଠା ଅଧିକ ମହତ୍ତ୍ୱପୂର୍ଣ୍ଣ, ନା କି ସୁବିଧା?
ସମୟ ଉତ୍ତର ଦେବ, କିନ୍ତୁ ଏବେ ପାଇଁ ଏହି ସାକ୍ଷାତକାର ଏକ ସ୍ପଷ୍ଟ ସନ୍ଦେଶ ଦେଉଛି—ରାଜନୀତିରେ କିଛି ମଧ୍ୟ ସ୍ଥାୟୀ ନୁହେଁ, ବର୍ଷା ଯୁଆଡେ ଛତା ସିଆଡେ।