
ଭଞ୍ଜନଗର,୦୩/୦୫: (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାର ତିଳିସିଙ୍ଗ ଗ୍ରାମ ନିକଟରେ ଏକ କଲଭର୍ଟ ଠାରେ ଗାର୍ଡୱାଲ୍ ଢଳେଇ କାର୍ଯ୍ୟ ଚାଲିଥିବା ସମୟରେ ଘଟିଛି ଅଘଟଣ। ରାସ୍ତାକଡର ମାଟି ଅତଡା ଖସିଯିବାରୁ ରାସ୍ତା ଉପରେ ଥିବା ମିକ୍ସଚର ମେସିନ୍ ଖସି ପଡିଥିବାରୁ କାମ କରୁଥିବା ମିସ୍ତ୍ରୀ ମଦନ ସିଂ(୪୦)ଙ୍କ ମୃତ୍ୟୁ ଘଟିଛି। ମଦନଙ୍କ ଘର ଝାରଖଣ୍ଡ ଲାତେହର ଅଞ୍ଚଳ ବୋଲି ଜଣାପଡିଛି। ମୃତଦେହ ଉଦ୍ଧାର ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଗାର୍ଡ ୱାଲ୍ କାର୍ଯ୍ୟ ତିଳିସିଂ ମୁଖ୍ୟ ରାସ୍ତା ଠାରେ ଚାଲିଥିଲା। ଏହି ସମୟରେ ମଦନ ତଳେ ରହିଥିବା ବେଳେ ଅନ୍ୟ ଶ୍ରମିକ ମାନେ ମଧ୍ୟ ଆଖପାଖରେ ରହିଥିଲେ। ଫଳରେ ତଳେ ରହିଥିବା ମଦନ ମାଟି ଭିତରେ ଚାପି ହୋଇ ରହିଯାଇଥିଲେ। ଏଥିରେ ଚାଳକ ଭଦ୍ରକ ଜିଲ୍ଲାର ପ୍ରଭଞ୍ଜନ ମଲ୍ଲିକ ଗାଡିରୁ ଡେଇଁ ପଡି ନିଜ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ସେ ସାମାନ୍ୟ ଆହାତ ହୋଇଥିବା ବେଳେ ତାରସିଂ ଇଲାକାର ଆକାଶ ନାୟକ(୧୮),ସନ୍ତୋଷ ନାୟକ(୩୦),ଲକ୍ଷ୍ମଣ ନାୟକ(୬୦) ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ଘଟଣାରେ ସୌଭାଗ୍ୟ ବଶତ ରକ୍ଷା ପାଇଛନ୍ତି। ଖବର ପାଇ ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର,ଥାନାଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ତ୍ତ ବିଭାଗର ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଏଥିସହ ଉକ୍ତ ସ୍ଥାନରେ ମାଟି ପ୍ରାୟ ୧୦-୧୫ ଫୁଟ ତଳକୁ ଧସେଇ ଯାଇଥିବାରୁ ବର୍ତ୍ତମାନ ରାସ୍ତା ବିପଦପୂର୍ଣ୍ଣ ରହିଥିବାରୁ ସର୍ତ୍ତକ ସୂଚନା ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା ତୁରନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।